ରେଳ ବଜେଟ୍ ୨୦୧୫-୧୬ ମୁଖ୍ୟାଂଶ

ଆଜି ୨୬ ଫେବୃଆରି ୨୦୧୫, ଅପରାହ୍ଣରେ କେନ୍ଦ୍ର ରେଳ ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୂ ସଂସଦର ମିଳିତ ଅଧିବେଶନରେ ରେଳ ବଜେଟ୍ ୨୦୧୫-୧୬ ଉପସ୍ଥାପନ କରିଛନ୍ତି । ଚାଟାର୍ଡ଼ ଆକାଉଁଟାଣ୍ଟରୁ ରାଜନେତା ହୋଇଥିବା ଶ୍ରୀ ପ୍ରଭୂ ତାଙ୍କର ପ୍ରଥମ ପୂର୍ଣାଙ୍ଗ ରେଳ ବଜେଟରେ ଯାତ୍ରୀମାନଙ୍କ ସୁବିଧାସୁଯୋଗ, ସୁରକ୍ଷା ଉପରେ ଧ୍ୟାନ ଦେବା ସହ ରେଳଗାଡ଼ିର ବେଗ ବୃଦ୍ଧି ପାଇଁ ପ୍ରସ୍ତୁତି ଉପରେ ଜୋର୍ ଦେଇଛନ୍ତି । ରେଳ ବଜେଟର ମୁଖ୍ୟାଂଶ ତଳେ ଦିଆଗଲା:-

୧.  ପ୍ରଥମ କରି ରେଳ ବଜେଟରେ କୌଣସି ନୂଆ ଟ୍ରେନ୍ ପ୍ରଚଳନର ଘୋଷଣା ହୋଇନାହିଁ ।
୨.  ପ୍ରଥମ ଥର ପାଇଁ ରେଳବାଇରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଏକ ସ୍ପଷ୍ଟ ନୀତି ପ୍ରଣୀତ ହୋଇଛି ।  ଆଧୁନିକୀକରଣ ଓ ପ୍ରଯୁକ୍ତିଗତ ଉନ୍ନତିସାଧନ ଉପରେ ନୀତି ପକ୍କା ହୋଇଛି । ସୂଚନା ପ୍ରଯୁକ୍ତି (ଆଇଟି)ର ବ୍ୟାପକ ପ୍ରୟୋଗ ଉପରେ ବଜେଟ୍ ଉଦ୍ଘୋଷଣା କରିଛି ।
୩.  ଯାତ୍ରୀ ଭଡ଼ାରେ କୌଣସି ବୃଦ୍ଧି କରାଯାଇ ନାହିଁ । ଯାତ୍ରୀ ଭଡ଼ାରେ ଦିଆଯାଉଥିବା ରିହାତି ଅନ୍ୟ ଦେଶ ତୁଳନାରେ ଅଧିକ ହୋଇଥିବା ବେଳେ ମାଲ୍ ପରିବହନର ଭଡ଼ା ବୃଦ୍ଧି କରି ତାହାକୁ ଭରଣା କରାଯାଉଛି । ତେଣୁ କୋଇଲା ଓ ସିମେଣ୍ଟ ଭଳି ସାମଗ୍ରୀର ପରିବହନ ଭଡ଼ା ବଢ଼ାଯାଇଛି ।
୪.  ରେଳବାଇ କ୍ଷେତ୍ରରେ ଆଗାମୀ ୫ ବର୍ଷ ପାଇଁ ପୁଞ୍ଜିନିବେଶ ୮.୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ଘଟିଛି ।
୫.  ସଂରଚନାର ବିକାଶ ଘଟାଇ ଭାରତୀୟ ରେଳଗାଡ଼ିର ହାରାହାରି ବେଗ ଘଂଟା ପ୍ରତି ୭୦ କିମିକୁ ବଢ଼ାଯିବ ।
୬.  ରହିଥିବା ପୂର୍ଣ କାର୍ଯ୍ୟକ୍ଷମ ରେଳପଥଗୁଡ଼ିକର ଉନ୍ନତି ଓ ସଂପ୍ରସାରଣରେ ପୁଞ୍ଜି ଖଟାଯିବ ।
୭.  ଏଣିକି ଯାତ୍ରା ତାରିଖର ସର୍ବାଧିକ ୧୨୦ ଦିନ ଆଗରୁ ସଂରକ୍ଷିତ ଯାତ୍ରା ଟିକେଟ୍ ଅଗ୍ରୀମ କାଟି ହେବ । ଯାହାକି ଆଗରୁ ୬୦ ଦିନ ଥିଲା । (ମନ୍ତବ୍ୟ:- ଏହା ଏକ ଭୁଲ୍ ନିଷ୍ପତ୍ତି । ୟୁପିଏ-୨ ସରକାର ବର୍ଷଟେ ଏମିତି କରିଥିଲେ । କିନ୍ତୁ ତାହା ଦ୍ୱାରା ଯାତ୍ରୀମାନେ ହଇରାଣ ହେଲେ । ତେବେ ରେଳବାଇ ଏହି ନିଷ୍ପତ୍ତି ଦ୍ୱାରା ବିପୁଳ ପରିମାଣରେ ପାଣ୍ଠି ଠୁଳ କରିପାରିବ ।)
୮.  ଯାତ୍ରୀମାନଙ୍କ ପାଇଁ ହେଲପ୍ ଲାଇନ୍ ନମ୍ବର ୧୩୮ ଦିବାରାତ୍ର ଚାଲୁ ରହିବ । ଏହା ପ୍ରଥମେ ଉତ୍ତର ରେଳବାଇରୁ ମାର୍ଚ ୧ ତାରିଖ ରବିବାରରୁ କାର୍ଯ୍ୟକ୍ଷମ ହେବ ।
୯.  ସୁରକ୍ଷା ସଂକ୍ରାନ୍ତ ଅଭିଯୋଗ ପାଇଁ ଦିବାରାତ୍ର ଦେୟମୁକ୍ତ ନମ୍ବର ୧୮୨ ଚାଲୁ କରାଯିବ ।
୧୦. ରେଳଗାଡ଼ିର ଆଗମନ - ପ୍ରସ୍ଥାନ ସଂକ୍ରାନ୍ତ ସୂଚନା ଏସ୍ଏମ୍ଏସ୍ ଜରିଆରେ ଯାତ୍ରୀଙ୍କୁ ଦେବାର ବ୍ୟବସ୍ଥା ପ୍ରଥମ କରି ଆରମ୍ଭ ହେବ ।
୧୧. ୪୦୦ଟି ବଛାବଛା ରେଳଷ୍ଟେସନରେ ୱାଇ-ଫାଇ ସୁବିଧା ଉପଲବ୍ଧ ହେବ ।
୧୨.  ବଛା ବଛା ଟ୍ରେନ୍ ଓ ମହାନଗରର ଲୋକାଲ ଟ୍ରେନରେ ମହିଳାଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ଖଂଜାଯିବ ।
୧୩.  ପ୍ରଥମ କରି ରେଳବାଇର ବିକାଶ ପାଇଁ ଏକ ୫-ବର୍ଷିଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରାଯାଇଛି ।
୧୪.  ପୁଞ୍ଜିଲଗାଣ ଓ ଘଡ଼ିସନ୍ଧି ମୁହୂର୍ତରେ ସହାୟତା ପାଇଁ ରାଜ୍ୟ, ପିଏସୟୁ, ବହୁମୁଖୀ ଏଜେନ୍ସି ଓ ପ୍ରାଇଭେଟ୍ ସେକ୍ଟର ସହ ପାର୍ଟନରସିପ୍ କରାଯିବ ।
୧୫.  ପରିଚାଳନା ଅଭ୍ୟାସର ଆମୂଳଚୂଳ ସଂଶୋଧନ କରାଯିବ । ଶାସନ ଓ ସ୍ୱଚ୍ଛତା ରକ୍ଷା ପାଇଁ ମାନ ଧାର୍ଯ୍ୟ କରାଯିବ ।


ବିମଳପ୍ରସାଦ, କଥା ହୁଅନ୍ତୁ: ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP NEWS PORTALS of INDIA