ଓଡ଼ିଶାର ରେଳ ସ୍ୱପ୍ନ

ଆଜକୁ ୩ ଦିନ ତଳେ ଦୂରଦର୍ଶନ(ଓଡ଼ିଆ)ର ସକାଳ ୮ଟା ସମାଚାରରେ ଆମ୍ଭେ ଦେଖିବାକୁ ପାଇଲୁ ଗୋଟିଏ ଦୈନିକ ଖବରକାଗଜର ମୁଖପୃଷ୍ଠାର ଗୁରୁତ୍ୱପୂର୍ଣ ଖବର। ତାହା ହେଉଛି - ଏଥର ଓଡ଼ିଶା ତା’ର ରେଳଦାବି ଜଣାଇବାକୁ କେନ୍ଦ୍ର ନିକଟରେ କୌଣସି ସ୍ମାରକପତ୍ର ଦେଇ ନାହିଁ। ଆଶ୍ଚର୍ଯ୍ୟ ଲାଗୁଛି ଯେ ଓଡ଼ିଶାରେ ସାମ୍ବାଦିକ ଓ ରାଜନେତାମାନଙ୍କର ଜ୍ଞାନସମଗ୍ର କେତେ ସଂକୁଚିତ!

ଫେବ୍ରୁଆରି ମାସରେ ରେଳବଜେଟ୍ ଉପସ୍ଥାପନ ହୁଏ । ଏହା ଏକ ପରମ୍ପରା । ଯଦି ସେହି ମାସରେ କିଛି ଦାବି କରାଯାଏ, ତାହା କ’ଣ ବଜେଟରେ ସାମିଲ ହୋଇପାରିବ? ଏହା ଏକ ସାଧାରଣ ପ୍ରଶ୍ନ । ଏହାକୁ ବୁଝିବା ବା ଏହାର ଉତ୍ତର ପାଇବା ଆଦୌ କଷ୍ଟ ନୁହେଁ ।

ଗତ ବର୍ଷ ପର୍ଯନ୍ତ ରାଜ୍ୟ ସରକାର ଏଭଳି ଭୁଲ୍ କରୁଥିଲେ । ଆମ୍ଭେ ବାରମ୍ବାର ଇ-ଗ୍ରୁପରେ ଓ ଇମେଲରେ ଯୋଗାଯୋଗ କରିବା ପରେ ଅମଲାତନ୍ତ୍ର ଜରିଆରେ ସରକାରଙ୍କ ଚେତା ପଶିଲା । ତେଣୁ ଚଳିତ ବର୍ଷ ସେହି ଗତାନୁଗତିକ ଦାବି କରିବା କାମଟି ରାଜ୍ୟ ଶାସକଦଳ ୨୦୧୪ ନଭେମ୍ବର ମାସରୁ ସାରି ଦେଇଛି । ସେଥି ନେଇ ଗଣମାଧ୍ୟମରେ ମଧ୍ୟ ଖବର ପ୍ରସାରିତ ହୋଇସାରିଛି । ତଥାପି ଗୋଟିଏ ମୁଦ୍ରଣ ଗଣମାଧ୍ୟମର ଏଭଳି ଅଜ୍ଞାନତା ସମ୍ପନ୍ନ ଖବରକୁ ଆମ୍ଭେ ଦୂରଦର୍ଶନ ସମାଚାରରୁ ଜାଣିପାରି ଥିବାରୁ ସେହି ସରକାରୀ ଚ୍ୟାନେଲକୁ ଧନ୍ୟବାଦ ଜଣାଉଛୁ ।

ବଜେଟ୍ ସାଧାରଣତଃ ସେପ୍ଟେମ୍ବର ମାସରୁ ଦଲିଲ ପ୍ରସ୍ତୁତି ସ୍ତରକୁ ଆସେ ଏବଂ ଡିସେମ୍ବର ମାସରେ ତାହାର ଡ୍ରାଫ୍ଟ ଦଲିଲ୍ ପ୍ରସ୍ତୁତ ହୋଇ ଚୂଡ଼ାନ୍ତ ମଧ୍ୟ ହୋଇଥାଏ। ତାହାପରେ ପୁସ୍ତକ ଆକାରରେ (ହିନ୍ଦୀ ଓ ଇଂଲିଶ୍ ରେ) ପ୍ରସ୍ତୁତ ହୁଏ। ନଚେତ୍ ଅତି ବେଶିରେ ଜାନୁଆରି ମାସରେ କାଁଭାଁ ପରିବର୍ତନ/ ସଂଶୋଧନ ହୋଇ ଚୂଡ଼ାନ୍ତ ପୁସ୍ତକ ମୁଦ୍ରିତ ହୋଇଯାଏ, ଯାହା କେବଳ ବଜେଟ୍ ଉପସ୍ଥାପନ ତାରିଖରେ ହିଁ ସଂସଦର ମିଳିତ ଅଧିବେଶନରେ ଉନ୍ମୋଚିତ ହୋଇଥାଏ ।

ଅର୍ଥାତ୍ ଜାନୁଆରି ବା ଫେବ୍ରୁଆରିରେ ନୂଆଦିଲ୍ଲୀକୁ ରେଳଯାତ୍ରା କରି ଦାବିପତ୍ର ବା ସ୍ମାରକପତ୍ର ଦେବା କେବଳ ଲୋକଦେଖାଣିଆ। ତାହାକୁ କେବେହେଲେ ସେହି ବଜେଟରେ ସାମିଲ କରାଯାଇପାରିବ ନାହିଁ।

ସବୁଠୁ ଆଶ୍ଚର୍ଯ୍ୟ କଥା ଯେ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରେ ଥିଲେ ସୁଦ୍ଧା ଗଣମାଧ୍ୟମ ତାହାର ଭରପୂର ସୁଯୋଗ ନେଉନାହିଁ। ଆମ୍ଭେ କାମନା କରୁଛୁ, ଓଡ଼ିଶା ଅନ୍ତତଃ ତାମିଲନାଡୁ ବା ଆନ୍ଧ୍ରପ୍ରଦେଶ ଭଳି ବିଜ୍ଞ ଓ ବୁଦ୍ଧିମାନ ବ୍ୟକ୍ତିମାନଙ୍କର ଏକ ରାଜ୍ୟ ହେଉ।

(ଏଠାରେ ଆମ୍ଭେ କାହାର ମର୍ଯ୍ୟାଦା କ୍ଷୁନ୍ନ କରିନାହୁଁ ବା କରିବାକୁ ଚାହିନାହୁଁ ।)

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA