ମାଓବାଦୀ ସବ୍ୟସାଚୀ ଗିରଫ ପରେ..

ମାଓବାଦୀ ସବ୍ୟସାଚୀ ପଣ୍ଡା ୧୭ ଜୁଲାଇ ୨୦୧୪ରେ ବ୍ରହ୍ମପୁର ସହରର ବଡ଼ବଜାରରୁ ଗିରଫ ହେବା ଖବର ପାଇ ଓଡ଼ିଶାବାସୀ ଯେତିକି ଖୁସି ହୋଇଥିବେ, ସବୁଠୁ ବେଶି ଖୁସି ହୋଇଥିବେ, ତେଲୁଗୁ ମାଓବାଦୀ ଗୋଷ୍ଠୀ । କାରଣ ସେମାନଙ୍କ ପାଇଁ ସବ୍ୟସାଚୀ ଥିଲେ କଂଟା ସଦୃଶ । ଏବେ ଜମିବ ସେହି ଗୋଷ୍ଠୀଙ୍କ ବେପାର । ଓଡ଼ିଶାର ଆଦିବାସୀ କ୍ୟାଡ଼ରମାନଙ୍କୁ ଢାଲ କରି,  ଖଟିଖିଆମାନଙ୍କ ସ୍ଵାର୍ଥର ଦ୍ୱାହି ଦେଇ, ମାଓବାଦୀ ନେତା ସାଜି, ବିଳାସବ୍ୟସନରେ ବୁଡ଼ି ରହୁଥିବା ନେତାମାନେ ଧନ ରୋଜଗାରର ଲୋଭ ଛାଡ଼ି ପାରିବେ ନାହିଁ । ଅତଏବ ସବ୍ୟସାଚୀ ଗିରଫ ହେଲା ପରେ ଯେ ସଶସ୍ତ୍ର ମାଓବାଦୀ କାର୍ଯ୍ୟକଳାପ ବନ୍ଦ ହୋଇଯିବ, ଏପରି ଭାବନ୍ତୁ ନାହିଁ । କାରଣ ଶ୍ରୀକାକୁଲମ ଗୋଷ୍ଠୀ ଓ ବସ୍ତର ଗୋଷ୍ଠୀ ସକ୍ରିୟ ଅଛନ୍ତି । ତେଣୁ ମାଲକାନଗିରି ଜିଲ୍ଲାକୁ ନିସ୍ତାର ନାହିଁ । ଏବେ ସବ୍ୟସାଚୀଙ୍କୁ ବୋପାଲୋ ଧନଲୋ କରି ଓଡ଼ିଶା ପୁଲିସ ଯେତେ ତଥ୍ୟ ହାସଲ କରି କାର୍ଯ୍ୟାନୁଷ୍ଠାନ କରିଚାଲିବ, ତାହା ଓଡ଼ିଶା ପାଇଁ ସେତେ ଶୁଭଙ୍କର ।

କାରାଗାର ଭିତରେ ସବ୍ୟସାଚୀ ଓରଫ ସୁନୀଲଙ୍କୁ କେଉଁ ସାମ୍ବାଦିକ ଭେଟିପାରିବେ - ସେଥିପାଇଁ ଗଣମାଧ୍ୟମ ସଂସ୍ଥାଏ ପ୍ରତିଯୋଗିତା କରିବାରୁ କ୍ଷାନ୍ତ ହୁଅନ୍ତୁ । ବରଂ ଏଭଳି ମୂହୁର୍ତରେ ଓଡ଼ିଶା ପୁଲିସକୁ ସହଯୋଗ କରନ୍ତୁ ।

ତେବେ ଏହା ସତ ଯେ ନୟାଗଡ଼, ଗଂଜାମ, ଖୋର୍ଧା, ଜଗତସିଂହପୁର, କନ୍ଧମାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା ଜିଲ୍ଲାଗୁଡ଼ିକରେ କିଛି ମାତ୍ରାରେ ମାଓବାଦୀ କାର୍ଯ୍ୟକଳାପ କମିଯିବ । ଏଣେ ମୟୁରଭଂଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ କିନ୍ତୁ ମାଓବାଦୀ ଆତଙ୍କ କମିବାର କିଛି ଗ୍ୟାରେଂଟି ନାହିଁ । ତେବେ ରାଉରକେଲା ଓ ସୁନ୍ଦରଗଡ଼ ପୁଲିସ ଜିଲ୍ଲାରେ ଅବସ୍ଥାପିତ ହେଉଥିବା ବା ଅନ୍ୟ ଜିଲ୍ଲାରୁ ବଦଳି ହୋଇ ଆସୁଥିବା ସମସ୍ତ ପୁଲିସ ଅଧିକାରୀ ଗର୍ବ କରିବା କଥା ଯେ ସେମାନଙ୍କ ଟାଣପଣ ଓ ପାରିଲାପଣ ଉପରେ ପ୍ରଶାସନର ବିଶ୍ୱାସ ରହିଛି ।

ଗତ ୧ ମାସ ଧରି ଖବରକାଗଜରେ ‘‘ଅମୁକ ଲୁଟେରା ଗିରଫ, ସମୁକ ହତ୍ୟାକାରୀ ଗିରଫ’’ ଖବର ପଢ଼ି ପଢ଼ି ମୁଁ ଯେତିକି ଆଶ୍ଚର୍ଯ୍ୟାନ୍ୱିତ, ସେତିକି ଆନନ୍ଦିତ । କାରଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀ-କ୍ଷମତା ଅଧୀନରେ ଥିବା ରାଜ୍ୟ ପୁଲିସକୁ ଏବେ ମୋ’ ଭଳି ସବୁ ସ୍ଵାଭିମାନୀ ବସ୍ତୁତଃ ପ୍ରଶଂସା କରିବାକୁ ବାଧ୍ୟ । 

ଏତେ ଦିନ ଯାଏଁ କାହିଁକି ପୁଲିସବାଲାଏ ଶୋଇଥିଲେ । ଆଜିଯାଏଁ ଯେଉଁମାନଙ୍କୁ ଆମେ ନିକମା ଭାବୁଥିଲୁ, ସେମାନଙ୍କ ମଧ୍ୟରେ ବି ସାମର୍ଥ୍ୟ ଅଛି, ଏହା ପ୍ରମାଣିତ ହେବାରେ ଲାଗିଛି । ପାଖେଇ ଆସୁଛି ଅଗଷ୍ଟ ୧୫ । ପୁଲିସବାଲାଙ୍କୁ ପଦକ ଦେବାର ସମୟ । ଦେଖାଯାଉ, ରାଜ୍ୟର ସାମାଜିକ ଅନୁଷ୍ଠାନ ପକ୍ଷରୁ ରାଜ୍ୟ ପୁଲିସକୁ କେବେ ଆନୁଷ୍ଠାନିକ ପ୍ରଶଂସା ମିଳୁଛି?

(Originally posted on 18 July 2014 as Facebook note, I have deleted later from that media)

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA