ସମ୍ବଲପୁରରେ ସୈନିକସ୍କୁଲ୍

ସମ୍ବଲପୁର-ଝାରସୁଗୁଡ଼ା ଅଂଚଳରେ ଆଇ.ଆଇ.ଏମ୍. ପ୍ରତିଷ୍ଠା ପ୍ରସଙ୍ଗରେ ସେହି ଅଂଚଳବାସୀଙ୍କୁ ପ୍ରତାରିତ କରିଥିବା ନେଇ ସମ୍ଭବତଃ ରାଜ୍ୟ ସରକାର ଅନୁଭବ କରି ସାରିଛନ୍ତି । ବିଶେଷତଃ ନୂଆଦିଲ୍ଲୀରେ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗରେ ବସିଥିବା ମହାନ୍ତି ନାମକ ଜଣେ ବରିଷ୍ଠ ଅଧିକାରୀ ବଦ୍‌ମାସୀ କରି ଯେଭଳି ଭୁବନେଶ୍ୱରରେ ଆଇଆଇଏମ୍ ପ୍ରତିଷ୍ଠାର ଫିକର କଲେ, ତାହାକୁ ଇତିହାସ କେବେ ହେଲେ କ୍ଷମା ଦେବ ନାହିଁ । ତେବେ ଲଢ଼ିବା ଓ ଦାବି ହାସଲ କରିବାର ମଧ୍ୟ ଏକ ସମୟ ଆଧାରିତ ମୂଲ୍ୟ ଅଛି ।
 
ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟ ସମ୍ବଲପୁରରେ ପ୍ରତିଷ୍ଠା ହେବା ପାଇଁ ସିଦ୍ଧାନ୍ତ ହୋଇ ସାରିଛି । ଆଜି ବିଧାନସଭାରେ ଉପସ୍ଥାପିତ ବଜେଟରେ ସମ୍ବଲପୁରରେ ରାଜ୍ୟର ଦ୍ୱିତୀୟ ସୈନିକ ସ୍କୁଲ୍ ପ୍ରତିଷ୍ଠା ପାଇଁ ଘୋଷଣା ହୋଇଅଛି । ଅର୍ଥାତ୍ କେଉଁଠି ଏହି ଅନୁଷ୍ଠାନ ଦୁଇଟି ହେବ ତାହା ଉପରେ ସ୍ଥାନୀୟ ଆର୍.ଡି.ସି. ଓ ଜିଲ୍ଳାପାଳଙ୍କ ସହ ବିଧାୟକମାନେ ମୁଣ୍ଡ ଖେଳାଇବା ସହ ତୁରନ୍ତ କାମ ଆରମ୍ଭ କରିଦେବା ଦରକାର । ମନେରଖିବାକୁ ହେବ ଯେ ଏପ୍ରିଲ ମାସରୁ ଶିକ୍ଷାବର୍ଷ ଆରମ୍ଭ ହୁଏ । ଯଦି ଅସ୍ଥାୟୀ କୋଠା ଓ ହତା ଧାର୍ଯ୍ୟ ହୋଇ ନପାରିବ, ତେବେ ଏହା ୨୦୧୬ ଏପ୍ରିଲକୁ ଘୁଂଚିଯିବ । ଆମେ କ’ଣ ସତରେ ଏୟା ଚାହୁଁଛେ?
 
ସୈନିକ ସ୍କୁଲ୍ ପ୍ରତିଷ୍ଠା ପାଇଁ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ତେବେ ସାଧାରଣ ନାଗରିକଙ୍କ ହସ୍ତକ୍ଷେପ ବିନା କୌଣସି ପ୍ରାଶାସନିକ ପଦକ୍ଷେପ ସଫଳ ହୋଇ ପାରିବ ନାହିଁ। ଏଣୁ ନାଗରିକମାନେ ଏବେଠୁ ଲାଗିବା ଦରକାର । ଅର୍ଥାତ୍ ୨୦ ଫେବୃଆରି ୨୦୧୫ ସୁଦ୍ଧା ଆନୁଷ୍ଠାନିକ ଧାଁଦଉଡ଼ ଆରମ୍ଭ ହୋଇଯିବା ନିହାତି ଆବଶ୍ୟକ । ଯାହା ଫଳରେ ଏପ୍ରିଲ୍ ୨୦୧୫ ବେଳକୁ ଭିତ୍ତିଭୂମି ପ୍ରସ୍ତୁତ ହୋଇଯାଇଥିବ । ସେହିପରି କୋଠା ନିର୍ମାଣ ପାଇଁ ଜମିଚିହ୍ନଟ ଓ ଭୂମିପୂଜନ ଏପ୍ରିଲ ୨୦୧୫ ମଧ୍ୟରେ ସରିଯିବା ଦରକାର । ସୂଚନାଯୋଗ୍ୟ ଯେ ସୈନିକ ସ୍କୁଲ୍‌ରେ କେବଳ ବାଳକମାନେ ପଢ଼ିଥାଆନ୍ତି। ସେଠାରେ ଅତି କଡ଼ା ଶୃଙ୍ଖଳା ମଧ୍ୟରେ ଷଷ୍ଠରୁ ଦଶମ (ଏପରିକି ଦ୍ଵାଦଶ ମଧ୍ୟ) ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ। ଶିକ୍ଷା ସହ ଖେଳକୁଦ ଓ ଅନ୍ୟ ନୈତିକ ଶିକ୍ଷା ମଧ୍ୟ ଦିଆଯାଏ। ଭାରତୀୟ ସେନାରେ ଏହି ସୈନିକ ସ୍କୁଲ୍‌ ଉତ୍ତୀର୍ଣ ଛାତ୍ରଙ୍କୁ ହିଁ ଅଗ୍ରାଧିକାର ଦିଆଯାଇଥାଏ। ହେଲେ ଉତ୍ତୀର୍ଣ ଛାତ୍ରମାନଙ୍କର ନିଜର ଭବିଷ୍ୟତ ପସନ୍ଦ କରିବାର ସଂପୂର୍ଣ ସ୍ଵାଧୀନତା ରହିଥାଏ ଏହି ବିଶାଳ ଗଣତନ୍ତ୍ରରେ।
 
ସୈନିକ ସ୍କୁଲ୍ ହେବା ଦ୍ୱାରା ପଶ୍ଚିମ ଓଡ଼ିଶାର ବହୁ ସଂଖ୍ୟାରେ ମେଧାବୀ ବିଦ୍ୟାର୍ଥୀ ଜଣେ ଜଣେ ଜାତୀୟ ସ୍ତରର ବ୍ୟକ୍ତିତ୍ୱ ଭାବରେ ଉଭା ହୋଇ ପାରିବେ । ଯଦିଓ ଜୱାହରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରେ ପଶ୍ଚିମ ଓଡ଼ିଶାର ବିଦ୍ୟାର୍ଥୀମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଥିବାରୁ ଆଜି ସେହି ଅଂଚଳର ଅନେକ ବ୍ୟକ୍ତି ଜାତୀୟ, ଅର୍ନ୍ତଜାତୀୟ ସ୍ତରରେ ପ୍ରତିଷ୍ଠିତ ହୋଇପାରିଛନ୍ତି । ଏହାକୁ ଆହୁରି ଆଗକୁ ନେଇ ପାରିଲେ, ପୂର୍ବ-ପଶ୍ଚିମ ବିଭେଦକୁ ଦୂର କରାଯାଇପାରିବ ।
 
ବିମଳପ୍ରସାଦ, କଥା ହୁଅନ୍ତୁ: ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA