୧୪ ବର୍ଷର ଜଳକରରେ ୫ଟଙ୍କିଆ ଆହାର

କମ୍ପାନୀ ଲୁଟେରାଙ୍କ ଦୟାରେ ସରକାରୀ ଆହାର ଯୋଜନା 
୧୪ବର୍ଷ ଧରି ଜଳକର ନଦେଇ ୧୦ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟାଇଛନ୍ତି ୧୨୯ଟି କମ୍ପାନୀ

ଭୁବନେଶ୍ୱର, ୪ ଏପ୍ରିଲ୍ ୨୦୧୫: ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ଶାସନରେ କେବଳ କମ୍ପାନୀମାନଙ୍କର ଲୁଟ୍ତରାଜ ଚାଲିଛି । ସରକାରୀ ପ୍ରୋତ୍ସାହନ ଓ ସହାୟତାରେ କମ୍ପାନୀମାନେ କେବଳ ଖଣିଜ ସମ୍ପଦ ଲୁଟ୍ କରିନାହାନ୍ତି, ବରଂ ରାଜ୍ୟର ଜମି, ପାଣି, ଜଙ୍ଗଲ ସମ୍ପଦକୁ ଲୁଟ୍ କରି ମୁନାଫା ଅର୍ଜନ ସହିତ ଟିକସ ଫାଙ୍କି ରାଜ୍ୟ ରାଜକୋଷର ହଜାର ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟାଇଛନ୍ତି । ସୂଚନା ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ୧୨୯ଟି କମ୍ପାନୀ ୨୦୦୦ରୁ ୨୦୧୪ ବର୍ଷ ମଧ୍ୟରେ ୬୦୦୦ କୋଟି ଟଙ୍କାର ଜଳକର ଦେଇନାହାଁନ୍ତି  । ଯଦି ଏହି ଅର୍ଥର ସୁଧ ହିସାବକୁ ନିଆଯାଏ, ତେବେ ରାଜ୍ୟର ଦଶହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ଘଟିଛି। ପୁଣି ଜଳକର ନଦେଇ ୨୭ଟି କମ୍ପାନୀ ସରକାରଙ୍କ ଜଳକର ବୃଦ୍ଧିକୁ ଚାଲେଞ୍ଜ କରି ଉଚ୍ଚନ୍ୟାୟାଳୟରେ ମକଦ୍ଧମା କରି ରହିତାଦେଶ ଆଣି ମନମୁତାବକ ପାଣି ଅବାଧରେ ବ୍ୟବହାର କରି ଚାଲିଥିଲା ବେଳେ ରାଜ୍ୟ ସରକାର ଏହି ରହିତାଦେଶ ଉଠାଇବା ବିରୁଦ୍ଧରେ ସାମାନ୍ୟତମ ପଦକ୍ଷେପ ନେଇନାହାନ୍ତି  ।

୧୪ବର୍ଷ ଧରି ଜଳକର ଦେଇନଥବା ପ୍ରମୁଖ କମ୍ପାନୀମାନେ ହେଲେ ଅନୁଗୁଳ ଜିଲ୍ଲାସ୍ଥିତ ଓ.ଏଚ୍.ପି.ସି. ରେଙ୍ଗାଲି ହାଇଡ୍ରୋ ପ୍ରୋଜେକ୍ଟ (୪୨.୭୬ କୋଟି ଟଙ୍କା), କୋରାପୁଟ ସ୍ଥିତ ଓ.ଏଚ୍.ପି.ସି., ବାରିଣିପୁଟ (୨୨୧କୋଟି ଟଙ୍କା), ନାଲ୍କୋ, ଦାମନଯୋଡି (୪୮ କୋଟି ଟଙ୍କା), ଜୟପୁରସ୍ଥିତ ସେୱା ପେପର ମିଲ୍ (୧୭୨ କୋଟି ଟଙ୍କା), ବ୍ରଜରାଜନଗରସ୍ଥିତ ମହାନଦୀ କୋଲ୍ଡ ଫିଲ୍ଡ ଲିମିଟେଡ୍ (୫୦କୋଟି ଟଙ୍କା), ଓରିଏଣ୍ଟ ପେପର ମିଲ୍ (୫୨ କୋଟି ଟଙ୍କା), ବୁର୍ଲା ପାୱାର ହାଉସ୍ (୪୭୦୦ କୋଟି ଟଙ୍କା) ରିଲିଆନ୍ସ ଇଣ୍ଡଷ୍ଟି୍ର (୧୦ କୋଟି ଟଙ୍କା) ଭୂଷଣ କମ୍ପାନୀ (୧୫ କୋଟି ଟଙ୍କା), ବେଲପାହାଡସ୍ଥିତ ଟାଟା ରିଫ୍ରାକ୍ଟୋରିଜ୍ (୧୬କୋଟି ଟଙ୍କା) ଇତ୍ୟାଦି । ଏହିସବୁ କମ୍ପାନୀମାନଙ୍କ ଠାରୁ ଜଳକର ଆଦାୟ ନକରି ସେହିମାନଙ୍କ ଠାରୁ ଅର୍ଥ ଆଣି ଗରିବ ଲୋକମାନଙ୍କୁ ୫ ଟଙ୍କାରେ ଭାତ-ଡାଲମା ଯୋଗାଇଦେବା ପାଇଁ ପଦକ୍ଷେପ ନେଇଛନ୍ତି  । କମ୍ପାନୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟରେ ଖଣିଜ ସମ୍ପଦ, ଜମି, ଜଳ, ଜଙ୍ଗଲ ସମ୍ପଦ ଲୁଟ୍ ହେଉଥିବା ଯୋଗୁଁ ଏହା ବିରୋଧରେ ବୃଦ୍ଧି ପାଉଥିବା ଜନ ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ଏବଂ ଲୋକଙ୍କୁ ଭୂଆଁ ବୁଲେଇବା ପାଇଁ ସରକାର ଏହି ୫ ଟଙ୍କିଆ ଆହାର ଯୋଜନା କରିଛନ୍ତି  ।

ବାସ୍ତବରେ ଏହି ଆହାର ଯୋଜନାରେ ଗୋଟିଏ ମିଲ୍ ପାଇଁ ଖର୍ଚ୍ଚ ହେଉଛି ଟ. ୨୬.୫୦ପଇସା । କିନ୍ତୁ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କ ପାଇଁ ମିଲ୍ ପିଛା ଦିଆଯାଉଛି ଟ.୪.୦୬ପଇସା ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲାଙ୍କ ସକାଳ ଜଳଖିଆ ଓ ମଧ୍ୟାହ୍ନଭୋଜନ ପାଇଁ ଦିଆଯାଉଛି ମାତ୍ର ୫ ଟଙ୍କା । ସେହିପରି ଅନାହାରରେ ରହୁଥିବା ଲୋକଟିକୁ ସାହାଯ୍ୟ କରିବା ପାଇଁ ଓଡ଼ିଶା ରିଲିଫ୍ କୋଡ୍ ଅନୁଯାୟୀ ରାଜ୍ୟ ସରକାର ସରପଞ୍ଚଙ୍କ ଜରିଆରେ ମାତ୍ର ୧୦ କେ.ଜି. ଚାଉଳ ଦେଇଥାନ୍ତି  । ଏହାଦ୍ୱାରା ଉକ୍ତ ବ୍ୟକ୍ତିର ଅନାହାର ତ ଦୂର ହୁଏ ନାହିଁ କି ଖାଦ୍ୟ ସୁରକ୍ଷା ହୁଏ ନାହିଁ  । ଏହା କିପରି ଖାଦ୍ୟଯୋଜନା ବୋଲି ସାମାଜିକ କର୍ମୀମାନେ ପ୍ରଶ୍ନ ଉଠାଇବା ସହ ସରକାରଂକ ଏହିପରି ଅର୍ଥ ବ୍ୟବସ୍ଥା ଯୋଗୁଁ ରାଜ୍ୟରେ ପୁଷ୍ଟିହୀନତା ଦୂର ହୋଇପାରିନଥିବା କହିଛନ୍ତି  । ସେହିପରି କେବିକେ ଅଂଚଳରେ ଅଙ୍ଗନୱାଡି କେନ୍ଦ୍ରରେ ଜରୁରୀକାଳୀନ ଖାଦ୍ୟ ଯୋଜନାରେ ୨ଲକ୍ଷ ବୁଢାବୁଢୀଙ୍କୁ ମାଗଣାରେ ଦିଆଯାଉଥିବା ଖାଦ୍ୟକୁ ରାଜ୍ୟ ସରକାର ବନ୍ଦ କରିଦେଇଛନ୍ତି  । ଗୋଟିଏ ପଟେ ପ୍ରାଥମିକ ବିଦ୍ୟାଳୟର ୫୨ ଲକ୍ଷ ଶିଶୁ ଓ ଅଙ୍ଗନୱାଡି କେନ୍ଦ୍ରର ୩୭ ଲକ୍ଷ ଶିଶୁ (୭ ମାସରୁ ୬ ବର୍ଷ)ଙ୍କୁ ପୁଷ୍ଟିସାରଯୁକ୍ତ ଖାଦ୍ୟ ଦେବାରେ ବିଫଳ ସରକାର, ଲୋକମାନଙ୍କୁ ପୁଣି ଠକିବା ପାଇଁ ଲୁଟେରା କମ୍ପାନୀମାନଙ୍କ ଠାରୁ ଅର୍ଥ ଆଣି ଚଳାଇଥିବା ଏହି ଆହାର ଯୋଜନାର ପ୍ରତ୍ୟାହାର ଜରୁରୀ  । କମ୍ପାନୀମାନଙ୍କ ଉପରେ ଥିବା ଦଶ ହଜାର କୋଟି ଟଙ୍କାର ଜଳ କର ଆଦାୟ କରି ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରର ଶିଶୁମାନଙ୍କ ପାଇଁ ମିଲ୍ ପିଛା ୧୦ ଟଙ୍କା ଏବଂ କ୍ଷୁଧା, ଅନାହାରରେ ରହୁଥିବା ବୁଢାବୁଢୀ, ବିଧବା, ସ୍ୱାମୀ-ପରିତ୍ୟକ୍ତା, ଗରିବ ମହିଳା, ଭିନ୍ନକ୍ଷମମାନଙ୍କୁ ମାସିକ ୧୫୦୦ଟଙ୍କା ଭତ୍ତା ଦିଆଯାଉ  ।

ଏହି ସାମ୍ବାଦିକ ସମ୍ମିଳନୀରେ ରାଇଟ୍ ଟୁ ଫୁଡ୍ କ୍ୟାମ୍ପେନ୍ ର ରାଜ୍ୟ ଆବାହକ ପ୍ରଦୀପ ପ୍ରଧାନ, କୋଷ୍ଟ କାଉନସିଲର ଆବାହକ ସୁଦର୍ଶନ ଛୋଟରାୟ, ବସ୍ତିନେତା ପ୍ରତାପ ସାହୁ, ସଞ୍ଜୟ ସାହୁ, ସଚ୍ଚିକାନ୍ତ ପ୍ରଧାନ, ଅରୁଣ ଜେନା, ଆଇନଜୀବୀ ସୁଧୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ  ।

ପ୍ରଦୀପ ପ୍ରଧାନ

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA