ମନିଅର୍ଡ଼ର ସେବାର ମରଣ
ଟେଲିଗ୍ରାମ୍ ସେବା ବଂଦ ହେବାର ୧୮ ମାସ ପରେ କେନ୍ଦ୍ର ସରକାର ପାରଂପରିକ ମନିଅର୍ଡ଼ର ସେବାକୁ ବଂଦ କରିଛନ୍ତି। ଅବଶ୍ୟ ଇ-ମନିଅର୍ଡ଼ର ଓ ଆଇ-ମନିଅର୍ଡ଼ର(ଇନଷ୍ଟାଂଟ ମନିଅର୍ଡ଼ର) ସେବା ଜାରି ରହିଛି ।
ଇତିହାସର ପୃଷ୍ଠା ସାଉଁଟିଲେ ଜଣାପଡ଼େ ଯେ ୧୮୮୦ ମସିହା ସୁଦ୍ଧା ଟ୍ରେଜେରି ବିଭାଗ ଅଧୀନରେ ଥିଲା ମନିଅର୍ଡ଼ର ସେବା । ୧୮୮୦ ମସିହା ଠାରୁ ୨୦୧୫ ଏପ୍ରିଲ ୬ ତାରିଖ ସୁଦ୍ଧା ଏହାକୁ ଡାକ ଓ ଟେଲିଗ୍ରାଫ୍ ବିଭାଗ ଚଳାଉଥିଲା । ତେବେ ୨୦୦୮ ମସିହା ଅକ୍ଟୋବରରୁ ଇଲେକ୍ଟ୍ରୋନିକ୍ ମନିଅର୍ଡ଼ର ପ୍ରଚଳନ ହେବା ପରେ ୧୩୫ ବର୍ଷର ପାରଂପରିକ ମନିଅର୍ଡ଼ର ସେବାକୁ ବଂଦ କରିଦେବା କଥା ଉଠିଥିଲା । ଶେଷରେ ସରକାର ଆନୁଷ୍ଠାନିକ ଭାବେ ଏହାକୁ ବଂଦ କରିଦେଇଛନ୍ତି । ଆଇ.ଏମ୍.ଓ. ଅଧୀନରେ ୧୦୦୦ ଟଙ୍କାରୁ ୫୦୦୦୦ ଟଙ୍କା ପର୍ଯ୍ୟନ୍ତ ତୁରନ୍ତ ପଠାଯାଇ ପାରିବା ସହ ୩୩ଟି ମାନକ ବାର୍ତା ପଠାଇବାର ବ୍ୟବସ୍ଥା ଅଛି । ଏପରିକି ପ୍ରାପକଙ୍କ ସଂଚୟଖାତାରେ ମଧ୍ୟ ସେହି ଟଙ୍କାକୁ ଜମା କରି ଦେଇ ହେଉଛି । ସେହିଭଳି ଇ-ଏମ୍.ଓ. ଅଧୀନରେ ୫୦୦୦ ଟଙ୍କା ପର୍ଯ୍ୟନ୍ତ ସହଜରେ ଦିନକ ମଧ୍ୟରେ ପଠାଯାଇ ପାରୁଛି । ଏହା ସହ ୨୧ଟି ମାନକ ବାର୍ତା ପ୍ରେରଣର ମଧ୍ୟ ସୁବିଧା ରହିଛି ।
ତେବେ ଏତେ ସବୁ ସୁବିଧା ବାହାରେ ମଣିଷ ନିଜେ ତାହାର ସୁବିଧା ପାଇ ଯାଇଛି, ଯେବେଠୁ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ ସୁବିଧା ଜାରି ହେଲାଣି । ଦୁଇଟି ବା ତତୋଧିକ ବ୍ୟାଙ୍କ୍ ଆକାଉଁଟ୍ ଥିବାରୁ ଅନେକ ନାଗରିକ ଆଉ ଟଙ୍କା ଦିଆନିଆ ପାଇଁ ଡାକଘର ଉପରେ ନିର୍ଭର କରୁ ନାହାନ୍ତି । ହେଲେ ଦାଦନ ଖଟିବାକୁ ଯାଉଥିବା ଅନେକ ଲୋକଙ୍କ ଗାଆଁରେ ବ୍ୟାଙ୍କ୍ କ’ଣ ଡାକଘର ସୁଦ୍ଧା ନାହିଁ । ତେଣୁ ଅନୁମାନ କରନ୍ତୁ ସେହିମାନଙ୍କ ପରିବାର ଲୋକେ ଦୂରରେ ଥିବା ସଦସ୍ୟଙ୍କ ଠାରୁ ଟଙ୍କା ପାଇବାକୁ କେତେ କଲବଲ ହେଉଥିବେ?
ଅପହଁଚ ଇଲାକାରେ ଥିବା ରୋଜଗାରିଆ ନାଗରିକଙ୍କ ପରିବାର ଲୋକଙ୍କ ପାଖରେ ଟଙ୍କା ପହଁଚାଇବା ପାଇଁ ବିକଳ୍ପ ସେବା ଯୋଗାଉଥିବା ଓଡ଼ିଶାର ଜଣେ ପ୍ରଖ୍ୟାତ ସମାଜସେବୀ ମହମ୍ମଦ ନୁରୁଲ ଅମିନ୍ କହନ୍ତି, ‘‘ପାରଂପରିକ ମନିଅର୍ଡ଼ର ସେବାକୁ ସରକାର ବଂଦ କରି ଏୟାରଟେଲ୍ ମନି ଓ ଭୋଡ଼ାଫୋନ୍ ଏମ୍-ପେସା ଭଳି ଘରୋଇ ମନିଅର୍ଡ଼ର ସେବାପ୍ରଦାନକାରୀଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ଏଣେ ଘରୋଇ କୋରିଅର ସେବାରେ ମଧ୍ୟ ବେଆଇନ ଭାବେ ଟଙ୍କା ପଠାଇବାର ଅଭ୍ୟାସ ବଢ଼ିଯିବ । ମନିଅର୍ଡ଼ର ବନ୍ଦ କରିବାଟା ସହରୀ ମଣିଷଙ୍କ ପାଇଁ ଠିକ୍ ହୋଇପାରେ, ହେଲେ ପାହାଡ଼ ଓ ଜଙ୍ଗଲ ଇଲାକାରେ ଥିବା ମଣିଷଙ୍କ ଜୀବନରେ ଏହି ନିଷ୍ପତ୍ତି ନିଶ୍ଚୟ ଫରକ ପକାଇବ ।’’
ମନ୍ତବ୍ୟଗୁଡିକ