ମୁମ୍ବାଇରୁ ମୟୂରଭଂଜ

ମୁମ୍ବାଇର ୧୨ ବର୍ଷୀୟା ବାଳିକା ମରିୟମ୍ ସିଦ୍ଦିକି ଇସ୍କନ ଆୟୋଜିତ ଗୀତାଜ୍ଞାନ ଚାମ୍ପିଅନସିପ୍ ଜିଣିବା ଖବର ଯେଭଳି ଭାବେ ସାରା ଦେଶରେ ପ୍ରଚାର ହୋଇଛି, ମୟୂରଭଂଜର ନୁରୁଲ ଇସଲାମଙ୍କ ବାଡ଼ିରେ ଜଗନ୍ନାଥଙ୍କ ନବକଳେବର ଦାରୁକାଠ ସନ୍ଧାନ ହେବା ପରେ ନୁରୁଲଙ୍କ ଆନନ୍ଦମୟ ଚେହେରା ଏବେ ସୁଦ୍ଧା ଆମେ ଦେଖିବାକୁ ପାଇନାହୁଁ । ଗୋଟିଏ ଖବର ବହୁପ୍ରଚାରିତ, ଅନ୍ୟଟି ଉପେକ୍ଷିତ ।

ଓଡ଼ିଶାରେ ବହୁତ ଖବର ଆଦୌ ଚର୍ଚା ହୁଏ ନାହିଁ। ମହମ୍ମଦ ସିକନ୍ଦର ଆଲାମ ବହୁବର୍ଷ ଧରି ଓଡ଼ିଶାର ପ୍ରଥିତ ଭଜନଗାୟକ ହୋଇ ରହିଥିଲେ। ସେହିଭଳି ମହମ୍ମଦ ଅଜିଜ୍ ଇତି ମଧ୍ୟରେ ଓଡ଼ିଆ ଭଜନ ଗାଇବାରେ ୨୫ ବର୍ଷ ପୂରଣ କରିସାରିଲେଣି । କିନ୍ତୁ ତାଙ୍କ ଭଜନଗାୟନର ରଜତଜୟନ୍ତୀ ପାଳିତ ହୋଇଥିବାର କୌଣସି ଖବର ଆମ୍ଭର ଧ୍ୟାନକୁ ଆସିନାହିଁ। ଓଡ଼ିଶାରେ ଏବେ ବି ଜଗନ୍ନାଥ ଭଜନର ଶ୍ରେଷ୍ଠ ଗୀତିକାର ରୂପେ ବିବେଚିତ ହୁଅନ୍ତି ସାଲ୍ ବେଗ୍ । ଏକଦା ଚର୍ଚାକୁ ଆସିଥିବା ଭଜନଶିଳ୍ପୀ ଭିକାରୀ ମହମ୍ମଦ କହିଥିଲେ ଯେ ତାଙ୍କୁ ଲୋକେ ଚିହ୍ନିବା ପୂର୍ବରୁ ସେ ବଡ଼ଦେଉଳରେ ଠାକୁରଙ୍କର ଏକାଧିକ ଥର ଦର୍ଶନ କରିସାରିଛନ୍ତି । ଭକ୍ତ-ଭଗବାନ ସଂପର୍କରେ ଧର୍ମର ସ୍ଥାନ ନାହିଁ । ଅର୍ଥାତ୍ ଭକ୍ତି ଓ ଧର୍ମବିଶ୍ୱାସ, ଗୋଟିଏ ଡାଳର ଦୁଇଟି ଫୁଲ ନୁହନ୍ତି ।

ସେ ତ ଜଗନ୍ନାଥ (ପୁରୀ) । ମାନେ ଜଗତର ନାଥ । ତାଙ୍କୁ ହିନ୍ଦୁମାନଙ୍କର ନାଥ ରୂପେ କିଏ ସୀମାରେଖା ଟାଣିଲା? ସେ ତ ବିଶ୍ୱନାଥ (ବାରାଣାସୀ), ବିଶ୍ୱବାସୀଙ୍କର ନାଥ । ତାଙ୍କୁ କେବଳ ହିନ୍ଦୁମାନଙ୍କର ଠାକୁର ରୂପେ କିଏ ସୀମାରେଖା ଟାଣିଲା? ସେହିଭଳି କୁହାଯାଉଛି ଜଗଜ୍ଜନନୀ ଦୁର୍ଗା । ଅର୍ଥାତ୍ ଜଗତ ଯାକର ଜନନୀ । କିନ୍ତୁ ତାଙ୍କୁ ପୂଜିବାକୁ ବା ଦର୍ଶନ କରିବାକୁ ଜଗତଯାକ ସୁଯୋଗ ପାଉଛନ୍ତି ତ? ଏ ଶବ୍ଦ ଯିଏ ଗଢ଼ିଛି, ସମ୍ଭବତଃ ତାଙ୍କ ଅଂଶ ଆଉ ଆମମାନଙ୍କ ଭିତରେ ନାହାନ୍ତି।

ଓଡ଼ିଶାରେ ମନ୍ଦିର ସଂଖ୍ୟାରେ ପ୍ରତି ବର୍ଷ ପ୍ରାୟ ୧୦୦ ଯୋଗ ହେଉଛି । ଠାକୁରଙ୍କ ମୁଣ୍ଡ ଉପରେ ଯେଉଁ ଚାନ୍ଦୁଆ ଟଣା ହୋଇଛି, ସେଥିରେ ରହିଛି ପିପିଲିର କେଉଁ ମହମ୍ମଦିଆ ପରିବାରର ଛୁଂଚିସୂତାର କାରିଗରୀ । ମୂର୍ତିପୂଜା ପାଇଁ ମାଟିମୂର୍ତି ପଛରେ ଯେଉଁ କାରୁକାର୍ଯ୍ୟପୂର୍ଣ ମେଢ଼ ଖଂଜା ଯାଉଛି, ସେଥିରେ ରହିଛି କଟକ ବାଙ୍କାବଜାରର କେଉଁ ମହମ୍ମଦିଆ ପରିବାରର କଳାତ୍ମକ ଚାତୁରୀ । ମନ୍ଦିରର ଭିତର ଓ ବାହାର କାଂଥର ସିମେଂଟ କାରୁକଳାରେ ବାଜିଛି ମୁର୍ଶିଦାବାଦର କେଉଁ ମହମ୍ମଦିଆ ରାଜମିସ୍ତ୍ରୀର କରଣୀ।

ଆପଣ ଜାଣନ୍ତି କି ମହାଭାରତର ଜଣେ ପ୍ରଚଣ୍ଡ ବ୍ୟାଖ୍ୟାକାର ଓ ବିଦ୍ୱାନ ହେଉଛନ୍ତି ହୁସେନ୍ ରବି ଗାନ୍ଧି । ଆମେ କେବଳ ଏତିକି ସାନ୍ତ୍ୱନା ଦେଇ ପାରିବା ଯେ ସେ ଏକଦା ଓଡ଼ିଶା ସାହିତ୍ୟ ଏକାଡେମୀର ମୁଖିଆ ଥିଲେ । ହୁଏତ ସେ ଚାମ୍ପିଅନସିପ୍ ଜିତିଲେ ବି ଓଡ଼ିଶା ଗଣମାଧ୍ୟମ ତାଙ୍କୁ ରାଷ୍ଟ୍ରୀୟ ସ୍ତରରେ ଉପସ୍ଥାପିତ କରିିବ ନାହିଁ । କଖଡ଼ି ଗାଆଁର ସେକ୍ ବାଖର ମହମ୍ମଦଙ୍କୁ ଆପଣ ସାହିତ୍ୟିକ କହିବେ କି ସାମ୍ବାଦିକ କହିବେ? ସମ୍ଭବତଃ ସେ ଥିଲେ ଓଡ଼ିଶାର ଅନନ୍ୟ ଓ ପ୍ରଥିତ ପଦ୍ୟ-ସାମ୍ବାଦିକ । ଯିଏକି ନିଜର ଗୀତିକବିତା ବଳରେ ଏକ ଅପରାଧମୁକ୍ତ ସୁସ୍ଥ ସାମାଜିକ ଜୀବନର ବାର୍ତା ପ୍ରଚାର କରୁଥିଲେ ।

କାକଟପୁର ମଙ୍ଗଳାମନ୍ଦିରର ପରିଚାଳନାରେ ଚାଲିଥିବା ଆର୍ଥିକ ଅନିୟମିତତାକୁ ସୂଚନା ଅଧିକାର ବଳରେ ଧରାପକାଇଥିଲେ କାକଟପୁରର ବୋହୂ ନର୍ଗିସ ବାହାର । ସରକାରୀ ମନ୍ଦିର ଉପରେ ପ୍ରଶ୍ନ ଉଠାଇବା ପ୍ରତ୍ୟେକ ନାଗରିକର ଅଧିକାର । ଅତଏବ ଏହା ମଧ୍ୟ ଥିଲା ଜଣେ ନାରୀର ଏକ ଯୁଗାନ୍ତକାରୀ ସାହସିକ ପଦକ୍ଷେପ । ଏହାକୁ ଗଣମାଧ୍ୟମ କେତେ ପ୍ରାଥମିକତା ଦେଇଥିଲା ? ବରଂ ନିଜ ରାଜ୍ୟ ଅପେକ୍ଷା ଅନ୍ୟ ରାଜ୍ୟର କାହାଣୀକୁ ଇଂଲିଶ୍ ବା ହିନ୍ଦୀରୁ ଅନୁବାଦ କରି ଉପସ୍ଥାପନ କରିବାରେ ଓଡ଼ିଶା ଗଣମାଧ୍ୟମ ବେଶ୍ ସମୟ ଦିଏ ।

ଅନ୍ୟ ପକ୍ଷରେ ମୟୂରଭଂଜ ଜିଲ୍ଲାରେ ସବୁ ଗଣମାଧ୍ୟମର ଉପସ୍ଥିତି ବେଶ୍ ନଗଣ୍ୟ । କାହିଁକି ନଗଣ୍ୟ, ଆପଣ ତାହାର କାରଣ ସନ୍ଧାନ କରନ୍ତୁ । ଆଉ ରାଷ୍ଟ୍ରୀୟ ସ୍ତରରେ ଉପସ୍ଥାପନ କରିବା ମଧ୍ୟ ଓଡ଼ିଶାରେ ଚେର ଥିବା ଇଂଲିଶ୍ ଓ ହିନ୍ଦୀ ଗଣମାଧ୍ୟମର କାମ । ସେହି ଭଳି ଓଡ଼ିଶାରେ ସକ୍ରିୟ ଥିବା ହିନ୍ଦୀ ଓ ଇଂଲିଶ୍ ରିପୋର୍ଟରମାନେ ମଧ୍ୟ ଏହାକୁ ବୁଝିପାରି ରୋଚକ ଶୈଳୀରେ ରିପୋଟିଂ କରିବା ଦରକାର ।

ମନ୍ତବ୍ୟଗୁଡିକ

Popular posts from this blog

ODIA TYPING EASY in WINDOWS7

ବ୍ରହ୍ମପୁରରେ ହେବ ଆଇଜର

TOP 20 WEBSITES of ODISHA