କିଏ ହେବେ ମୁଖ୍ୟମନ୍ତ୍ରୀ

ଓଡ଼ିଶାର ଲୋକପ୍ରିୟ ବିଜୁ ଜନତା ଦଳ ସରକାରକୁ ଟକ୍କର ଦେବା ପାଇଁ କେବଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାଖରେ ତାକତ ଅଛି । ଏହାକୁ ଆଜିକାଲି ଆଉ କେହି ଅସ୍ୱୀକାର କରୁ ନାହାନ୍ତି । କାରଣ ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ରାଜନୀତି ଚାଲେ ନାହିଁ, ତେଣୁ ଜାତିଆଣ ଦଳଗୁଡ଼ିକ କ୍ଷମତା ଦୌଡ଼ରୁ ଦୂରେଇ ଗଲେଣି ।
 
ଗତ ୟୁପିଏ-୨ ସରକାର ବେଳେ ବିଜୁ ଜନତା ଦଳ(ବିଜଦ) ଯେମିତି କେନ୍ଦ୍ରରେ କଂଗ୍ରେସକୁ ଭୂତେଇ ଥିଲା । ଏବେ ସେହି ସମାନ ଢଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଭୂତେଇବା ଆରମ୍ଭ କରିଛି । ଏହାର ପ୍ରମାଣ ହେଉଛି ଚଳିତ ଜାନୁଆରି ୨୦୧୫ରେ ଭାଜପାର ମହାସଂଗ୍ରାମ ସମାବେଶରେ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଭାଷଣ । ଗତ ୨୦୧୪ରେ ବରମୁଣ୍ଡା ପଡ଼ିଆରେ ନରେନ୍ଦ୍ର ମୋଦି, ଓଡ଼ିଆ ଦାଦନ କଥା ଉଠାନ୍ତେ ଓଡ଼ିଶାର ଗଣମାଧ୍ୟମ ସ୍ୱାଭିମାନର ଦ୍ୱାହି ଦେଇ ତାହାକୁ ନିନ୍ଦା କରିଥିଲା । ଏଥର ଅମିତ୍ ଶାହା ବିଜଦ ବା ନବୀନ ବାବୁଙ୍କ ବିଷୟରେ ପ୍ରାୟତଃ କିଛି ହେଲେ ନକହିବାରୁ ତାହାକୁ ମଧ୍ୟ ଓଡ଼ିଶା ଗଣମାଧ୍ୟମ ନାପସନ୍ଦ କଲା ।
 
ଯଦି ଓଡ଼ିଶାରେ ବର୍ଧିଷ୍ଣୁ ଲୋକପ୍ରିୟତା ଆଧାରରେ ଭାଜପା କ୍ଷମତା ଦଖଲର ସ୍ୱପ୍ନ ଦେଖୁଥାଏ, ତେବେ ଏ କ୍ଷେତ୍ରରେ ନରେନ୍ଦ୍ର ମୋଦି ହିଁ ସ୍ୱପ୍ନର ସୌଦାଗର । ଆଉ ମାଧ୍ୟମ ହେଉଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏଇ ବର୍ଷ ଜାରି କରିଛନ୍ତି ଗରିବମାନଙ୍କୁ ମାଗଣାରେ ଏଲ୍.ପି.ଜି. ଗ୍ରାହକ ବନେଇବାର କାର୍ଯ୍ୟକ୍ରମ । ଏହା ଦ୍ୱାରା ଗରିବବହୁଳ ଓଡ଼ିଶାରେ କିଛି ଗରିବ ପରିବାର ଇଜ୍ଜତର ସହ ବଂଚିବାର ଅଧିକାର ପାଇବେ । ହେଲେ, ଗରିବମାନେ ଯେ ଦୁର୍ନୀତି କରିବେନି, ସେହି ଗ୍ୟାରେଂଟି ଦେଇ ପାରିବେନି । କିଛି ଗରିବ, ଏଲ୍.ପି.ଜି. ସିଲିଣ୍ଡର ଓ ରେଗୁଲେଟରକୁ ସ୍ଥାନୀୟ ଗ୍ୟାସ୍ ମରାମତି ଦୋକାନୀମାନଙ୍କ ଜରିଆରେ ବିକିବାକୁ ଆରମ୍ଭ କରିଥିବା ଶୁଣାଗଲାଣି । ଏ ଘୋର କଳିକାଳରେ ଦୁର୍ନୀତିକୁ ବନ୍ଦ କରିବା ସବୁଠୁ ବଡ଼ ଆହ୍ୱାନ । ତେଣେ ବିଜଦ ସରକାରଙ୍କ ଟଙ୍କିକିଆ ଚାଉଳ ହିଁ ସବୁଠୁ ବଡ଼ ଭୋଟବ୍ୟାଙ୍କ୍ ବନିଛି । ଯାହାକି ଓଡ଼ିଆ ଲୋକଙ୍କୁ କୋଢ଼ିଆ କରିବାର ସବୁଠୁ ବଡ଼ ଉପାଦାନ । ତେଣୁ ବିଜଦର ଭୋଟ୍ ପରିମାଣ କମିପାରେ; କିନ୍ତୁ କ୍ଷମତାଗାଦିରୁ ହଟାଇବା ମୁସ୍କିଲ ହେବ । ଯଦି ଭାଜପା କର୍ମୀମାନେ ସାରା ରାଜ୍ୟରେ ନିଷ୍ଠାର ସହ କାମ କରିବେ, ତେବେ ଏଲ୍.ପି.ଜି. ଗ୍ରାହକ ଯୋଜନା ମାଧ୍ୟମରେ ଦଳୀୟ ଲୋକପ୍ରିୟତାକୁ ବଢ଼ାଯାଇପାରିବ ।
 
ଏଣେ ରାଜ୍ୟ କଂଗ୍ରେସରେ ନେତୃତ୍ୱ ପରିବର୍ତନ ହୋଇଛି । ଜଣେ ଭଦ୍ରଲୋକଙ୍କୁ ସଭାପତି ଦାୟିତ୍ୱ ମିଳିଛି । ସେ ହେଲେ ପ୍ରସାଦ ହରିଚନ୍ଦନ । କଂଗ୍ରେସ ଯଦି ଏବେଠୁ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିବ, ତେବେ କିଛିଟା ସଫଳତା ପାଇବ । କଂଗ୍ରେସରେ ଜ୍ଞାନୀ ଲୋକମାନେ ରହିଥିବା ବେଳେ ଭାଜପାରେ ଜ୍ଞାନୀ ଲୋକଙ୍କର ଅଭାବ ରହିଛି । ତେବେ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଜ୍ଞାନୀ ଲୋକଙ୍କର ଆବଶ୍ୟକତା ଜରୁରୀ ନୁହେଁ ବୋଲି ବିଶେଷଜ୍ଞମାନେ କହନ୍ତି । କେନ୍ଦ୍ରରେ କ୍ଷମତାଧାରୀ ନେତୃତ୍ୱକୁ ନେଇ ଏହାକୁ ମାଆପୁଅ ପାର୍ଟି ବୋଲି ସମାଲୋଚନା କରି ଲୋକମାନେ କହୁଛନ୍ତି । ଏଣେ ରାଜ୍ୟରେ ଜେବି ପଟ୍ଟନାୟକଙ୍କ ଗୋଟି ଚାଳନାକୁ ଲୋକମାନେ ଚାହିବସିଛନ୍ତି । ତେବେ ଜେବିଙ୍କ ଶେଷ ୫ ବର୍ଷର ଶାସନରେ ରାଜ୍ୟବାସୀ ଅତିଷ୍ଠ ହୋଇଥିବାରୁ କଂଗ୍ରେସ ଆଉ କେବେ ହେଲେ କ୍ଷମତାକୁ ଆସିବ ନାହିଁ ବୋଲି ତଥ୍ୟାଭିଜ୍ଞମାନେ ଜୋର୍ ଦେଇ କହୁଛନ୍ତି ।
 
ଯେତେ ଦୁର୍ନୀତି ହେଲେ ବି ବିଜଦ ସରକାର ଅମଳରେ ନିପଟ ମଫସଲରେ ବି ବିକାଶ ପହଁଚିଛି । ବର୍ଷା ଯେତେ ଛେଚିଲେ ବି, ଅନ୍ଧାର ରାତି ହେଲେ ବି ମଫସଲରୁ ସହରକୁ ଅନାୟାସରେ ଆସି ହେଉଛି । ସବୁ ଗାଆଁରେ ଏବେ ପୁଞ୍ଜା ପୁଞ୍ଜା ଗାଡ଼ିମଟର । ରାସ୍ତା ଖୋଲିବାରୁ ଏହା ସମ୍ଭବ ହୋଇଛି । ଫଳରେ ସବୁ ଗାଆଁରେ ମୋବାଇଲ ନେଟ୍‌ୱର୍କ ବି ପହଁଚି ପାରିଛି । ଯାତ୍ରୀ ପରିବହନ ପାଇଁ ସରକାର ଯେଉଁ ଯୋଜନା କରିଛନ୍ତି, ତାହା ଧିମେଇ ଯାଇଥିଲେ ସୁଦ୍ଧା ଭୋଟ୍ ବେଳ ଆସିଲେ ସଜାଗ କରିବାକୁ ବିଜଦ ପଛେଇବ ନାହିଁ ।
 
୨୦୧୬-୧୭ରେ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ଭାଜପା ଓ କଂଗ୍ରେସର କୌଣସି ରଣନୀତି ନାହିଁ । କିନ୍ତୁ ବିଜଦ ନିଜର ଲୋକପ୍ରିୟତା ଆଧାରରେ ପୁଣି ପଂଚାୟତ ନିର୍ବାଚନରେ ବାଜିମାତ୍ କରିବାକୁ ଟାକି ବସିଛି । ବିଜୁ ପକ୍କାଘର ଯୋଜନା ଏକ ଇଜ୍ଜତର ସହ ବଂଚିବାର କାର୍ଯ୍ୟକ୍ରମ ହୋଇଥିଲେ ସୁଦ୍ଧା ବ୍ୟାପକ ଦୁର୍ନୀତି କାରଣରୁ ଏଥିରେ ବିଜଦ ସଫଳ ହେବା କଷ୍ଟକର ହେବ । ସେହିଭଳି କୃଷି ଓ କୃଷକଙ୍କ ପାଇଁ ଏକାଧିକ ଯୋଜନା କରିଥିଲେ ସୁଦ୍ଧା ସେଗୁଡ଼ିକର କାର୍ଯ୍ୟକାରିତା ଧିମେଇ ଯାଉଥିବାରୁ ଲୋକପ୍ରିୟତା ବଢ଼ାଇବାରେ ସହାୟକ ହେବ ନାହିଁ ।
 
ସବୁଠୁ ମୂଲ୍ୟବାନ୍ କଥା ହେଉଛି, ଏହି ତିନି ଦଳର ବାହାରେ ରହିଯାଇଥିବା କିଛି ନେତାଙ୍କୁ କୋଳେଇ ନେବାକୁ ଅନ୍ତତଃ କଂଗ୍ରେସ ଓ ଭାଜପା ବିଳମ୍ବ କରିବା କଥା ନୁହେଁ । ପଂଚାନନ କାନୁନଗୋ, ସୌମ୍ୟରଂଜନ ପଟ୍ଟନାୟକ, ପ୍ରଫୁଲ୍ଲ ଘଡ଼େଇ ଓ ଏମ୍.ଏ. ଖାରବେଳ ସ୍ୱାଇଁଙ୍କ ଭଳି କିଛି ବିଚକ୍ଷଣ ରାଜନେତାଙ୍କୁ ଏବେଠୁ ଦଳରେ ନେଇଯିବା ଆଗାମୀ ଲଢ଼େଇ ପାଇଁ ବହୁତ ଭଲ ହେବ । ହେଲେ ଏହି ଖେଳରେ ବିଜଦ ଆଦୌ ପଛରେ ନାହିଁ । ବିଜଦ ପାଖରେ ଡା. ଦାମୋଦର ରାଉତ ଏକ ସର୍ବକାଳୀନ ଅସ୍ତ୍ର ଥିବା ବେଳେ କଂଗ୍ରେସ ପାଖରେ ନରସିଂହ ମିଶ୍ର ଛନ୍ତି । ଏଣେ ବିଜେପିରେ ବିଶ୍ୱଭୂଷଣ ହରିଚନ୍ଦନ ନିଜର ବୟସାଧିକ୍ୟ କାରଣରୁ ରାଜ୍ୟର ଦୂରବର୍ତୀ ସ୍ଥାନକୁ ଭ୍ରମଣ କରିପାରିବେ ନାହିଁ । ତେବେ ଏ ସ୍ଥାନ ପୂରଣରେ ଉଦୀୟମାନ ନେତା ଭୃଗୁ ବକ୍ସିପାତ୍ର ଯଥେଷ୍ଟ ସହାୟକ ହେବେ ।
 
କେହି ଯୁବନେତା ହିଁ ଆଗାମୀ ନିର୍ବାଚନ ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବେ ବୋଲି କିଛି ରାଜନୀତି ବିଶାରଦ ମତ ଦେଉଛନ୍ତି । ତେବେ ନବୀନ ଶେଷ ମୁହୂର୍ତରେ ନିଜ ପୁତୁରା ଅଥବା ଡ. ଅରୁଣ ସାହୁ, ରୋହିତ ପୂଜାରୀଙ୍କ ଭଳି କିଛି ଯୁବନେତାଙ୍କ ହାତରେ ଗାଦି ଟେକି ଦେଇ ସଂସଦକୁ ଚାଲିଯିବା କିଛି ବିଚିତ୍ର ନୁହେଁ । ତେବେ ନବୀନ ବାବୁଙ୍କ ପୁତୁରା ଅରୁଣ ପଟ୍ଟନାୟକ ମଧ୍ୟ ଓଡ଼ିଆ ଜାଣି ନଥିବାରୁ ତାଙ୍କୁ ଓଡ଼ିଶାବାସୀ ହୁଏତ ଗ୍ରହଣ କରିବେ ନାହିଁ । ଆଉ ଯଦି ପରିବାରବାଦ ରାଜନୀତିରେ ଓଡ଼ିଶାବାସୀ ଶ୍ରଦ୍ଧା ରଖିଥାଆନ୍ତି, ତେବେ ନବୀନ ବାବୁଙ୍କ ଏକମାତ୍ର ଓଡ଼ିଆ ଦାୟାଦ ତାଙ୍କ ଭଣଜା ସଂଜୀବ ମହାପାତ୍ର ମଧ୍ୟ ରାଜନୀତିକୁ ଲମ୍ପ ଦେବାର ସମ୍ଭାବନା ରହିଛି । ସେ ଜଣେ ଉଚ୍ଚଶିକ୍ଷିତ ଓ ସ୍ୱପ୍ନାଭିଳାଷୀ ଯୁବକ ଭାବରେ ବିଜୁ ବାବୁଙ୍କ ଦ୍ୱିତୀୟ ଅବତାର ରୂପେ ଅବତୀର୍ଣ ହୋଇପାରନ୍ତି ବୋଲି ଶୁଣିବାକୁ ମିଳୁଛି ।

ଅନ୍ୟ ପକ୍ଷରେ  ଭାଜପା ଆଡୁ ଶୁଣାଯାଉଥିବା କେନ୍ଦ୍ରରେ ନରେନ୍ଦ୍ର, ରାଜ୍ୟରେ ଧର୍ମେନ୍ଦ୍ର” ସ୍ଲୋଗାନକୁ ଅନ୍ୟତମ ଯୁବନେତା ପୃଥ୍ୱୀରାଜ ହରିଚନ୍ଦନ ଯଦି ଆଗେଇ ନେବେ ଏବଂ ଏବେଠୁ ପ୍ରଚାର କାର୍ଯ୍ୟକ୍ରମ ଜାରି ରହିବ, ତେବେ ଭାଜପା ପାଇଁ ପରିସ୍ଥିତିରେ ଅନେକ ଉନ୍ନତି ଆସିପାରିବ । ତେଣେ ଦକ୍ଷିଣର ଫିଟ୍ ନେତା ପ୍ରଦୀପ ମାଝୀଙ୍କୁ ପ୍ରସାଦ ବାବୁ କେବେହେଲେ ଅଣଦେଖା କରିବେ ନାହିଁ । ଦକ୍ଷିଣ ଓଡ଼ିଶାକୁ ପୁଣି ହାତମୁଠାକୁ ଆଣିବାକୁ ତାରାପ୍ରସାଦ ବାହିନୀପତି ମଧ୍ୟ ଜୋରଦାର ସହଯୋଗ କରିପାରିବେ ।
 
ଉଭୟ ପୂର୍ବ-ପଶ୍ଚିମ ମଧ୍ୟରେ ସମନ୍ୱୟ ରକ୍ଷା କରିବାରେ ଧର୍ମେନ୍ଦ୍ର ପ୍ରଧାନ ଜଣେ ସମତୁଲ ରାଜନେତା ବୋଲି କୁହାଯାଉଛି । ଓଡ଼ିଶାରେ ଜାତୀୟ ରାଜପଥର ବିସ୍ତାର ଦିଗରେ ତାଙ୍କ ବାପା ଦେବେନ୍ଦ୍ର ପ୍ରଧାନ ଯେଉଁ ସୁନାମ ଅର୍ଜିଛନ୍ତି, ତାହା ଲୋକେ ଭୁଲି ନାହାନ୍ତି । ତେବେ ଧର୍ମେନ୍ଦ୍ରଙ୍କ ଲୋକସଂପର୍କ ଓ ସାଂଗଠନିକ ଦକ୍ଷତା ଉପରେ ସବୁ କିଛି ନିର୍ଭର କରୁଛି । ଜନତା ଦଳରେ ଥିବା ବେଳେ ଏବେର ଭାଜପା ନେତା ଦିଲ୍ଲୀପ ରାୟ ବିଜୟ ମହାପାତ୍ରଙ୍କ ଦ୍ୱାରା ରାଜ୍ୟବାସୀ ପ୍ରତାରିତ ହୋଇଥିବାରୁ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ରୂପେ ଜନତା ଗ୍ରହଣ କରିବେ ନାହିଁ । ସମ୍ଭବତଃ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେବାରେ ସେମାନଙ୍କ ପାଖରେ ସ୍ୱପ୍ନ ଓ ସାହସର ଅଭାବ ରହିଥିଲା, ସେଥିପାଇଁ ସେମାନେ ନବୀନ ବାବୁଙ୍କୁ ନୂଆ ଦଳର ନେତା କରି ଆଣିଲେ । ଅନ୍ୟ ପକ୍ଷରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର କ୍ଷୁଧା ଯେଭଳି ଭାବରେ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ପାଖରେ ରହିଥିବା ଜଣା ପଡ଼ୁଛି, ଅନ୍ୟ କେହି ନେତା ନିଜକୁ ସେଭଳି ପ୍ରୋଜେକ୍ଟ କରି ପାରୁ ନାହାନ୍ତି ।
 
ଯେତେ ଯାହା ହେଲେ ବି ବିଜଦ ଆଗାମୀ ନିର୍ବାଚନରେ ଯଦି  ୭୦ଟି ଆସନ ପାଏ, ତେବେ ସରକାର ଗଢ଼ିବା ପାଇଁ ଖୁବ୍ ବେଶି ଘୋଡ଼ାବେପାର କରିବାକୁ ପଡ଼ିବ ନାହିଁ । କାରଣ ମାଫିଆମାନଙ୍କ ସମାନ୍ତରାଳ ରାଜନୀତି କାରଣରୁ ବିଜୟୀ ହୋଇଥିବା ନିର୍ଦଳୀୟ ପ୍ରାର୍ଥୀମାନେ ତୁରନ୍ତ ବିଜଦ ସପକ୍ଷରେ ନିଜ ଆଡ଼ୁ ସମର୍ଥନ ଘୋଷଣା କରିବେ ।
 
ବିଜଦ ବିରୋଧରେ ଚର୍ଚ୍ଚିତ ଦୁଇ ବିରୋଧୀ ଦଳ ପାଖରେ ଖାସ୍ ମୁଦ୍ଦା କିଛି ନାହିଁ, ଯାହାକୁ ନେଇ ସେମାନେ ଲୋକମତକୁ ବଦଳାଇ ଦେଇ ପାରିବେ। ଗତ ନିର୍ବାଚନର ଭୋଟିଂ ଓ କାଉଁଟିଂ ପ୍ରକ୍ରିୟାରେ ରାଜ୍ୟର ଅମଲାମାନେ ଯେଭଳି ଭାବେ ବିଜଦକୁ ସହଯୋଗ କଲେ, ତାହାକୁ ପ୍ରତିହତ କରିବାକୁ ବା ତାହା ଉପରେ ପ୍ରଶ୍ନ ଉଠାଇବାକୁ ବିରୋଧୀମାନଙ୍କର ବୈଷୟିକ ଜ୍ଞାନ ସୁଦ୍ଧା ନାହିଁ । ଏଣେ ଅମଲାମାନଙ୍କର ଦୁଇ ବର୍ଷ ଚାକିରି କାଳ ବଢ଼ାଇ ଦେଇ ସମ୍ଭବତଃ ପଂଚାୟତ ନିର୍ବାଚନକୁ ନବୀନ ବାବୁ ଟାର୍ଗେଟ କରିଛନ୍ତି!
 
ଗତ ନିର୍ବାଚନରେ ସବୁ ଇଭିଏମ୍ ଯାଂଚ ନହେବା ଏବଂ ସବୁ ପଂଚାୟତରେ ମକ୍ ପୋଲିଂ ନହେବା ଦ୍ୱାରା ପ୍ରକୃତ ଜନମତ ପ୍ରତି ବାଧା ପହଁଚିଛି। ଯଦି ବିରୋଧୀ ଦଳଦ୍ୱୟ କିଛି ବିଜ୍ଞାନୀ ଯୁବକଙ୍କୁ କର୍ମୀ ରୂପରେ ନେଇ ପ୍ରୟୋଗ କରିବେ, ତେବେ ହୁଏତ କିଛି କଡ଼ା ଟକ୍କର ଦେବାରେ ସମର୍ଥ ହୋଇପାରିବେ ।
 
ମାର୍ଚ ୨୦୧୫ରେ ଶିକ୍ଷା ଅଧିକାର ଆଇନର ଶେଷତାରିଖ ପୂରିବ । ଶିକ୍ଷା ଅଧିକାର ସୁନିଶ୍ଚିତ କରିବାରେ ବିଜଦ ସରକାର ବିଫଳ ହୋଇଥିଲେ ସୁଦ୍ଧା ପରିଣତିକୁ ନିଜ ସପକ୍ଷରେ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ହଜାର ହଜାର ସଂଖ୍ୟାରେ ଶିକ୍ଷକ ନିଯୁକ୍ତିକୁ ମାଧ୍ୟମ କରିବ । ପ୍ରାରମ୍ଭିକ ରଣନୀତିକୁ ନେଇ ଉପୁଜିଥିବା କନ୍ଦଳ ଯୋଗୁ ବିଭାଗୀୟ ଶାସନସଚିବ ମହୋଦୟା ଦୂରେଇ ଯାଇଥିବା ବେଳେ ଚାକିରି-ନିଯୁକ୍ତିକୁ ଶାସକ ଦଳ ନିଜର ହାତ ବାରିସି କରିବ । ଅନ୍ୟ ପକ୍ଷରେ ଚିଟ୍ ଫଣ୍ଡ୍ ମହାଠକେଇର କୌଣସି ନକରାତ୍ମକ ପ୍ରଭାବ ବିଜଦର ଲୋକପ୍ରିୟତା ଉପରେ ପଡ଼ିବ ନାହିଁ । ଯେତିକି ଜଣ ସେହି ଠକେଇରେ କ୍ଷତିଗ୍ରସ୍ତ ହୋଇଛନ୍ତି, ସେମାନଙ୍କ ସଂଖ୍ୟା ସମଗ୍ର ଭୋଟ୍ ବ୍ୟାଙ୍କ୍ ତୁଳନାରେ ବେଶ୍ ନଗଣ୍ୟ ।
 
ଶେଷକଥା ହେଲା, ୨୦୧୯ରେ ବିଜଦ ଅଳ୍ପ ଆସନ ଜିତି ଏବଂ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ। ଏହା ନିଃସଂଦେହରେ କହିବା କଷ୍ଟକର । କାରଣ ଏବେ ବି ବିପୁଳ ଲୋକସମର୍ଥନ ଏକପାଖିଆ ହୋଇ ବିଜଦ ଆଡ଼କୁ ଢଳି ରହିଛି । 


(ପରବର୍ତ୍ତୀ କାଳରେ ୨୪ ମାର୍ଚ ୨୦୧୫ରେ ଓଡ଼ିଆ ଦୈନିକୀ ‘ସଂଚାର’ରେ ପ୍ରକାଶିତ)

ବିମଳପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA