ଆଳୁ ମିଶନର ଆଳୁଦୋଷ

ଓଡ଼ିଶାର ଲୋକପ୍ରିୟ ଖାଦ୍ୟ ଭିତରେ ଚାଉଳ ପରେ ଅନ୍ୟ ଦୁଇଟି ହେଉଛି ଆଳୁ ଓ ପିଆଜ। ପିଆଜ ଏକାଧିକ ଥର ଓଡ଼ିଶାବାସୀଙ୍କୁ କନ୍ଦାଇଥିବା ବେଳେ ଆଳୁ ଗତ ୩ ବର୍ଷ ମଧ୍ୟରେ ୪ ପର୍ଯ୍ୟାୟରେ ଧୋକା ଦେଇଛି। ଏହା ପଛରେ ବଡ଼ କାରଣ ହେଉଛି ଓଡ଼ିଶାରେ ଆଳୁ ଉତ୍ପାଦନ କମ୍ ଏବଂ ଯେତିକି ଆଳୁ ଉତ୍ପାଦିତ ହେଉଛି, ସେତକ ସାଇତିବା ପାଇଁ ଶୀତଳଭଣ୍ଡାର ନାହିଁ। ଏଣେ ୨୬ ଡିସେମ୍ବର ୨୦୧୪ରେ ଓଡ଼ିଶା ସରକାର ଘୋଷଣା କରିଛନ୍ତି ରାଜ୍ୟ ଆଳୁ ମିଶନ। ଏହାର ଅସଲ ଲକ୍ଷ୍ୟ ହେଉଛି ଆଳୁଚାଷ ପାଇଁ ଚାଷୀମାନଙ୍କୁ ଉତ୍ସାହିତ କରିବା। ତଳ ଅନୁଚ୍ଛେଦରେ ଆମେ ସେହି ଆଳୁ ମିଶନ ସଂକ୍ରାନ୍ତ କିଛି ପ୍ରକାଶିତ ସୂଚନାକୁ ପୁଣିଥରେ ଲେଖିଛୁ। ପରବର୍ତ୍ତୀ ଅନୁଚ୍ଛେଦଗୁଡ଼ିକରେ ଯାହା ଲେଖିଛୁ, ତାହା ଆପଣଙ୍କ ବିଚାରରେ ଭବିଷ୍ୟବାଣୀ ହୋଇପାରେ, ଅଥବା ସମାଲୋଚନା ବିବେଚିତ ହୋଇପାରେ।

୨୦୧୫-୧୬ରୁ ଓଡ଼ିଶା ରାଜ୍ୟ ଆଳୁ ମିଶନ କାର୍ଯ୍ୟକାରୀ ହେବ । ରାଜ୍ୟ ଉଦ୍ୟାନ କୃଷି ବିଭାଗ ଏହାର ନୋଡ଼ାଲ ଏଜେନ୍ସି ରୂପେ କାର୍ଯ୍ୟ କରିବ । ଏବେ ରାଜ୍ୟରେ ୧୫ ହଜାର ହେକ୍ଟର ଜମିରେ ଆଳୁ ଚାଷ ହେଉଛି, ଏବେର ଉତ୍ପାଦନ ରହିଛି ୨ ଲକ୍ଷ ମେଟ୍ରିକ୍ ଟନ୍ । ୨୦୧୬-୧୭ ବେଳକୁ ୬୦ ହଜାର ହେକ୍ଟର ଜମିକୁ ଆଳୁଚାଷ ବଢ଼ିବ । ଆଳୁ ଓ ଅନ୍ୟ ପନିପରିବା ପାଇଁ ସରକାର ଶୀତଳ ଭଣ୍ଡାର କରିବେ । ଏବେ ୨୪ଟି ଶୀତଳ ଭଣ୍ଡାର ଅଛି। ୩ ବର୍ଷରେ ୧୧୨ଟି ନୂଆ ଶୀତଳ ଭଣ୍ଡାର ହେବ । ୨୦୧୮ ମାର୍ଚ ବେଳକୁ ସମସ୍ତ ଶୀତଳ ଭଣ୍ଡାର କାର୍ଯ୍ୟକ୍ଷମ ହେବ । ବିଦ୍ୟୁତ୍ ଶୁଳ୍କରେ ରିହାତି ଦିଆଯିବ । ୨୦୧୫ରେ ୩୦ ହଜାର ଟନ୍ ବରଫ ଗଚ୍ଛିତ ରଖିବାକୁ ନିଷ୍ପତ୍ତି ହୋଇଛି । ୯୩ଟି ବ୍ଲକରେ ଆଳୁ ଫସଲ ବୀମା ରହିଛି, ଏହା ସବୁ ବ୍ଲକରେ କାର୍ଯ୍ୟକାରୀ ହେବ । ପ୍ରଥମ ୬ ବର୍ଷରେ ୫୮୩.୫୮ କୋଟି ଟଙ୍କା ଖର୍ଚ କରାଯିବ । ଯୋଜନାରେ ଏଥିପାଇଁ ୩୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି।

ଆମ୍ଭର ମନ୍ତବ୍ୟ:
  1. ଶୀତଳଭଣ୍ଡାର ନଥିଲେ ଆଳୁ ଚାଷର କିଛି ମୂଲ୍ୟ ନାହିଁ । କିନ୍ତୁ ସରକାର ଘୋଷଣା କରିଛନ୍ତି ୨୦୧୮ ମସିହା ବେଳକୁ ସବୁ ଶୀତଳଭଣ୍ଡାର କାର୍ଯ୍ୟକ୍ଷମ ହେବ । ଅତଏବ ୨୦୧୯ ମସିହାରେ ହିଁ ଆମେ ଆଳୁ ଉତ୍ପାଦନ ଓ ବିପଣନରେ ସ୍ୱାବଲମ୍ବୀ ହେବା ବୋଲି ଆଶା କରିପାରିବା ।
  2. ସରକାରୀ ଘୋଷଣା ଚାଷୀଙ୍କ ପାଖରେ ପହଞ୍ଚିବା ବିଳମ୍ବିତ ହେବ। ଏହା ଏକ ସାଧାରଣ କଥା । ଅଥଚ ବଜେଟ୍‌ରେ ଥିବାରୁ ଅଧିକାରୀମାନେ ବାରମ୍ବାର ସଭାସମିତି କରି କାର୍ଯ୍ୟକାରିତାର ମାର୍ଗଦର୍ଶିକାକୁ ବହୁତ ତର୍ଜମା କରିସାରିଥିବେ। କିନ୍ତୁ ଚାଷୀମାନଙ୍କ ସହ ବିମର୍ଷ କରାଯାଇନଥିବ ।
  3. ମିଶନର ଏକ ମୁଖ୍ୟ ଦପ୍ତର ଭୁବନେଶ୍ୱରରେ ଖୋଲିବ । ସେଠାରେ କିରାଣୀ, ଚପରାଶି ହାଉଜାଉ ହେବେ । କାଗଜ ଫାଇଲ ଏ ଟେବୁଲରୁ ସେ ଟେବୁଲକୁ ବୁଲିବ। କୋଠରୀ ଶୀତତାପ ନିୟନ୍ତ୍ରିତ ହୋଇଥିବାରୁ ଦରଜା ବନ୍ଦ ରହିବ। ତେଣୁ ଜନସାଧାରଣ ଜାଣିପାରିବେ ନାହିଁ କେଉଁ ହାକିମ ଏବେ ଦପ୍ତରରେ ଅଛନ୍ତି। ସେମାନେ ଚପରାଶିଙ୍କ ଉପରେ ନିର୍ଭରଶୀଳ ହୋଇ ଦୁର୍ନୀତିଗ୍ରସ୍ତଙ୍କ ତାଲିକାରେ ନିଜ ନାମ ଲେଖାଇବେ।
  4. ପ୍ରଶାସନ କେବେ ହେଲେ ଠିକ୍ ସମୟରେ ଉପଯୁକ୍ତ ବିହନ ଉପଯୁକ୍ତ ସ୍ଥାନରେ ଚାଷୀଙ୍କ ପାଖରେ ପହଞ୍ଚାଇ ପାରିବେ ନାହିଁ। ଫଳରେ ଆଳୁମିଶନର ଆହ୍ୱାନକୁ ଗ୍ରହଣ କରିଥିବା ଚାଷୀମାନେ ଚିନ୍ତାରେ ପଡ଼ିଯିବେ।
  5. ଆଳୁ କ୍ଷେତରେ ମଡ଼ାଇବା ପାଇଁ ପାଣି ଜରୁରୀ। କିନ୍ତୁ ସରକାରଙ୍କ ୮୦ ଭାଗ ଜଳସେଚନ ପ୍ରକଳ୍ପ ଅଚଳ। ତେଣୁ ଜଳସେଚନ ଏକ ବଡ଼ ସମସ୍ୟା ହୋଇ ଦେଖାଦେବ। ଆଳୁ ମିଶନ କେବେ ହେଲେ ଜଳସେଚନରେ ଟଙ୍କା ଖଟାଇ ପାରିବ ନାହିଁ ।
  6. କୁଫ୍ରିସୁନ୍ଦରୀ କିସମର ଆଳୁ ବେଶ୍ ସୁଆଦିଆ । ଯାହାକି ଏବେ ବଜାରରେ ଦୁର୍ଲଭ । କେଉଁ କିସମର ଆଳୁଗୁଡ଼ିକ ରାଜ୍ୟରେ ପ୍ରସାର ହେବ, ତାହା ମଧ୍ୟ ଆଳୁ ମିଶନ ଧାର୍ଯ୍ୟ କରିବା ଦରକାର। ୯୦ଟି ଯାକ ବ୍ଲକ୍‌ରେ ସମାନ ପ୍ରକାର କିସମ ଚାଲିବ ନାହିଁ।
  7. ଆଳୁ ବିହନ ଉଦ୍ଭାବନ ପାଇଁ ବୈଜ୍ଞାନିକଙ୍କୁ ସୁଯୋଗ ମିଳିବା ଦରକାର । ଏପରି ଆଳୁ ବାହାରିବ, ଯାହାକୁ ରକ୍ତଶର୍କରା ରୋଗଗ୍ରସ୍ତ ମଣିଷମାନେ ମଧ୍ୟ ଖାଇ ପାରିବେ । ଏତେ ଦୂରଦୃଷ୍ଟି ଏହି ମିଶନର ଥିବ ବୋଲି ଆମ୍ଭଙ୍କୁ ପ୍ରତୀତ ହେଉ ନାହିଁ ।
  8. ଆଳୁଚାଷୀମାନେ ଅଧିକାରୀମାନଙ୍କ ଦୟାରେ ଆଳୁ ବିହନ ଓ ଅନ୍ୟାନ୍ୟ ସହଯୋଗ ପାଉଛନ୍ତି ବୋଲି ଧରିନେବେ। ସେଇଠୁ ଆରମ୍ଭ ହେବ ଦୁର୍ନୀତିର ମହାପର୍ବ । ତା’ପରେ ଦଲାଲମାନେ ଜୁଟିଯିବେ ଏବଂ ଏହି ଦୁର୍ନୀତିକୁ ଆନୁଷ୍ଠାନିକ ରୂପ ଦେବେ ।
  9. ଆଳୁ ମିଶନ ପାଇଁ ପ୍ରଥମେ ଦରକାର ଓଡ଼ିଆରେ ୱେବ୍‌ସାଇଟ୍। ତାହାକୁ ଏକ ଅନ୍‌ଲାଇନ୍ ଡାଟାବେସ୍ କରି ସେଥିରେ ପ୍ରକୃତ ଆଳୁଚାଷୀଙ୍କୁ ପଞ୍ଜିକୃତ କରାଯିବା ଦରକାର। ପ୍ରତ୍ୟକ୍ଷ ହିତ ହସ୍ତାନ୍ତର ଚିନ୍ତାଧାରାକୁ ଏହି ମିଶନ କାର୍ଯ୍ୟକାରୀ କଲେ  କିଳାପୋତେଇ ହେବାରେ ବାଧା ଉପୁଜିବା କାରଣରୁ ୱେବ୍‌ସାଇଟ୍ କଥାକୁ ଜାଣି ଜାଣି ଅଣଦେଖା କରିବେ ।
  10. ଓଡ଼ିଆରେ ୱେବ୍‌ସାଇଟ୍ ହେଲେ ସାଧାରଣ ଚାଷୀକୁଳର ସଦସ୍ୟମାନେ ଏହାକୁ ପଢ଼ି ନିଜନିଜକୁ ପ୍ରସ୍ତୁତ କରିପାରିବେ । ହେଲେ ସୂଚନା ଅଧିକାର କର୍ମୀମାନେ ଦାବି କରିବା ପରେ ଯାଇ ପ୍ରଶାସନର ନିଦ ଭାଙ୍ଗିବ । ସେତେବେଳକୁ ୨୦୧୮ ପାର ହୋଇଯାଇଥିବ ।
  11. ଆଳୁ ଚାଷକୁ ଉଦ୍ୟାନକୃଷିରେ ବିବେଚନା କରିବା ପଛରେ ସରକାରଙ୍କର କି ଉଦେଶ୍ୟ ଅଛି?
  12. ଦିନକୁ ଦିନ ଚାଷକାମ ଖର୍ଚ ବହୁଳ ହେଉଥିବାରୁ ଚାଷୀଙ୍କ ସଂଖ୍ୟା କମୁଛି । ରୟତ ସଂଖ୍ୟା ବଢୁଛି। ଅର୍ଥାତ୍ ଅନେକ ଚାଷୀ ବାସ୍ତବରେ ଜମିହୀନ ଏବଂ ଅନେକ ରୟତଙ୍କ ଜମିରେ ବାସ୍ତବରେ ଆଳୁ ଚାଷ ହେଉଛି। ଏହା ଉପରେ ଆଳୁ ମିଶନ ସଚେତନ ନଥିବ।
  13. ପିଆଜ ପାଇଁ ପିଆଜ ମିଶନ ନଗଢ଼ି, ସରକାର ପଶ୍ଚିମ ଓଡ଼ିଶା ଚାଷୀମାନଙ୍କ ସ୍ୱାର୍ଥକୁ ଅଣଦେଖା କରିଛନ୍ତି । କାରଣ ପଶ୍ଚିମ ଓଡ଼ିଶାର ମାଟି ଆଳୁ ପାଇଁ ଅନୁକୂଳ ନୁହେଁ । ସରକାରଙ୍କୁ ଭଲ ଦଶା ଥିଲେ ପିଆଜ ମିଶନ ତୁରନ୍ତ ଘୋଷଣା କରନ୍ତୁ । ଫଳରେ ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ସୁବର୍ଣପୁର, ବରଗଡ଼, ସମ୍ବଲପୁର, ବୌଦ୍ଧ, ଆଠମଲ୍ଲିକ ଅଞ୍ଚଳର ଚାଷୀମାନେ ଉପକୃତ ହୋଇପାରିବେ ।
  14. ପୂର୍ବ ଓଡ଼ିଶାର କେଉଁ କେଉଁ ବ୍ଲକରେ ଆଳୁ ଚାଷ ହେଉଛି ବା ହୋଇପାରିବ, ତାହା ଉପରେ ସରକାରଙ୍କ ପାଖରେ ସଠିକ୍ ତଥ୍ୟ ନଥିବ । କିନ୍ତୁ ତାହା ରହିବା ଦରକାର ଏବଂ ଗହମ ଗୋଟି ଗଣତା ନ୍ୟାୟରେ କାମ ଆଗେଇବା ଦରକାର ।
  15. ଯେଉଁ ୩୦୦ କୋଟି ବ୍ୟୟ ବରାଦ ହୋଇଛି, ତହିଁରୁ ୯୦ ଭାଗ ବିଭିନ୍ନ ବିହନ ଯୋଗାଣକାରୀ ସଂସ୍ଥା, ସାର ଓ ପୋକମରା ଯୋଗାଣକାରୀ ସଂସ୍ଥା ପାଖକୁ ଯିବ । ଅଧିକାରୀମାନେ କିଏ କେତେ କମିଶନ ଖାଇବେ, ତାହା ମଧ୍ୟ ଧାର୍ଯ୍ୟ ହେବ । ଏମିତିରେ ଚାଷୀ ପାଖରେ ପହଞ୍ଚିବ ଖୁମ୍ବଆଳୁ !
  16. ଏବେ ପୂର୍ବ ଓଡ଼ିଶାରେ ବିପୁଳ ସଂଖ୍ୟାରେ ପାୱାରଟିଲର ଓ ଟ୍ରାକ୍ଟର ରହିଛି । ସେଗୁଡ଼ିକୁ ଗଣତି କରି ଯଦି ପ୍ରଶାସନ ମାଷ୍ଟରପ୍ଲାନ୍ କରିବ, ତେବେ ବର୍ଧିତ ଆଳୁ ଉତ୍ପାଦନ ଆଶା କରାଯାଇପାରିବ।
  17. ଶୀତଳଭଣ୍ଡାର ପାଇଁ ଆଧୁନିକ ଯୁଗର ମାନ (ଷ୍ଟାଣ୍ଡାର୍ଡ଼) ଧାର୍ଯ୍ୟ ହେବା ଦରକାର । ଛାତ ଓ କାନ୍ଥ କିଭଳି ହେବ, ତାହା ଉପରେ ଅଭିଜ୍ଞ ଇଂଜିନିୟର ମାର୍ଗଦର୍ଶିକା ଜାରି କରିବା କଥା । କିନ୍ତୁ ଠିକାଦାରଙ୍କୁ ନିର୍ମାଣ ଦାୟିତ୍ୱ ଦେଇଦେଲେ, ସବୁକିଛି ଆଦର୍ଶ ଓ ମାର୍ଗଦର୍ଶନ ଫସରଫାଟି ଯିବ ।
  18. ବିଦ୍ୟୁତ୍ ଶୁଳ୍ପରେ ରିହାତି ଏକ ଧୂଆଁବାଣ । ଶେଷ ମୁହୂର୍ତ୍ତରେ ଜଣେ ସଚିବ ସ୍ତରୀୟ ବ୍ୟକ୍ତି ବିଦ୍ୟୁତ୍ ବିତରକ କମ୍ପାନୀମାନଙ୍କୁ ସାର୍କୁଲାର ଜାରି କରିବେ, ଯାହାକି ଅବାନ୍ତର ଓ ବେଆଇନ । ଏଥିପାଇଁ ଗେଜେଟ୍ ବିଜ୍ଞପ୍ତି ଜାରି ହେବା ଦରକାର । ସେହିଭଳି ଅନେକ ବିଜ୍ଞପ୍ତି ଦରକାର ହେବ, ଏହି ଆଳୁ ମିଶନ ହାସଲ କରିବା ପାଇଁ । ଏହି ପ୍ରତିକ୍ରିୟା ପଢ଼ିଲା ପରେ ପ୍ରଶାସନ ସତର୍କ ହେବ ବୋଲି ଆମେ ବିଶ୍ୱାସ କରୁଛୁ ।
  19. ପ୍ରତି ୩ ମାସରେ ବଦଳି ହେଉଥିବା ଓ ପଦୋନ୍ନତି ପାଉଥିବା ପ୍ରଶାସକମାନଙ୍କୁ ନେଇ ମିଶନ ହାସଲ ଅସମ୍ଭବ। ତେଣୁ ମିଶନ ନିର୍ଦେଶକ ଯିଏ ହେବେ ସେ ଜଣେ କୃଷିବିଜ୍ଞାନୀ ହେବା ଦରକାର, ନଚେତ୍ କୃଷି ବିଜ୍ଞାନ ପଢ଼ି ପ୍ରଶାସକ ଚାକିରି ପାଇଥିବା ଜଣେ ବ୍ୟକ୍ତି ରହିବା ଦରକାର। ଆଉ ସେ ୨୦୧୯ ପର୍ଯ୍ୟନ୍ତ ସେହି ପଦରୁ ବଦଳିବେ ନାହିଁ ଏବଂ ସବୁ ହାନିଲାଭ ପାଇଁ ସେ ଉତ୍ତରଦାୟୀ ରହିବେ । କିନ୍ତୁ ଆମ ପ୍ରଶାସନ ଏ ଉତ୍ତରଦାୟୀ କଥାଟିକୁ କେବେ ବି ବୁଝେ ନାହିଁ ।
  20. ୩୦ହଜାର ଟନ୍ ବରଫ ୨୦୧୫ରେ ଗଚ୍ଛିତ ରଖିବା ନିଷ୍ପତ୍ତି ଏକ ଅବାନ୍ତର ଓ ଅଦ୍ଭୂତ ନିଷ୍ପତ୍ତି । ଏହା ଉପରେ ଅଧିକ ମନ୍ତବ୍ୟ ଅନାବଶ୍ୟକ ।
ତେଣୁ ପଦକ୍ଷେପଗୁଡ଼ିକ କ’ଣ ଓ କିପରି ହେବ, ତାହାର ସୂଚୀ ପ୍ରସ୍ତୁତ ହେଉ ଏବଂ ମିଶନ ନିର୍ଦେଶକଙ୍କ ସମେତ କେଉଁ ଅଧିକାରୀମାନେ ୩ ବର୍ଷ ମଧ୍ୟରେ ପଦୋନ୍ନତି ପାଇଲେ ସୁଦ୍ଧା ଟ୍ରାନ୍ସଫର ହେବେ ନାହିଁ, ତାହା ଧାର୍ଯ୍ୟ ହେବା ଦରକାର ।
ବିମଳପ୍ରସାଦ, ଭୁବନେଶ୍ୱର, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA