ସିଜିଓ କମ୍ପ୍ଲେକ୍ସ କେଉଁଠି?

CGO ଏକ ଇଂଲିଶ୍ ସଂକ୍ଷିପ୍ତ ନାମ। ଏହା ଅର୍ଥ, Central Government Offices (କେନ୍ଦ୍ର ସରକାରଙ୍କ ଦପ୍ତରସମୂହ) ଏବଂ କମ୍ପ୍ଲେକ୍ସ ଅର୍ଥ ପରିସର ବା ହତା। ନୂଆଦିଲ୍ଲୀ ବା ରାଜ୍ୟର ରାଜଧାନୀଗୁଡ଼ିକରେ ଯେଉଁ ହତା ଭିତରେ ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ ରହିଥାଏ, ତାହାକୁ କହନ୍ତି ସିଜିଓ କମ୍ପ୍ଲେକ୍ସ। କିନ୍ତୁ ଆମ ରାଜଧାନୀ ଭୁବନେଶ୍ୱରରେ ଏହା ନାହିଁ। ଏପରି ସୁବିଧା ଥିଲେ କାହାକୁ ସୁବିଧା ହେଉ ନହେଉ, ଅନ୍ତତଃ ସୂଚନା ଅଧିକାର କର୍ମୀମାନେ ଗୋଟିଏ ଜାଗାରେ ପହଁଚି କେତେ କ’ଣ ସୂଚନା ସଂଗ୍ରହ କରି ଆପଣଙ୍କୁ ପରଷି ପାରନ୍ତେ ।

ଅନ୍ୟ ଦିଗଟି ହେଲା, ନାଗରିକଙ୍କ ସୁବିଧା ପାଇଁ ଏଭଳି କେନ୍ଦ୍ରୀୟ ହତା ନିଶ୍ଚିତ ରହିବା କଥା। କିନ୍ତୁ ଆପଣ ଜାଣି ବିରକ୍ତ ହେବେ ଯେ କେତେକ ଆଇଏଏସ୍ ଓ ଆଇପିଏସ୍ ବ୍ୟକ୍ତିତ୍ୱଙ୍କ ନିଜ ଅଟ୍ଟାଳିକାର ଭଡ଼ାଘରେ ଚାଲିଛି ବିଭିନ୍ନ କେନ୍ଦ୍ରୀୟ ବା କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟଗୁଡ଼ିକ। ସର୍ଭେ ଅଫ୍ ଇଣ୍ଡିଆ, ଆୟକର ବିଭାଗ, ଇଣ୍ଡିଆନ୍ ଅଏଲ୍ ଭଳି ଅଳ୍ପ କେତୋଟି ସଂଗଠନର ନିଜସ୍ୱ କୋଠା ଭୁବନେଶ୍ୱରରେ ରହିଥିବା ବେଳେ ଅନ୍ୟ କାର୍ଯ୍ୟାଳୟଗୁଡ଼ିକ କୌଣସି ଆବାସିକ କୋଠାରେ ଭଡ଼ାଘରେ ନେପେଟିକି ପଡ଼ିଛନ୍ତି । ଏହା ହେଉଛି ବାହାସ୍ପୋଟିଆ ଓଡ଼ିଶା ସରକାରଙ୍କର ଦୂରଦୃଷ୍ଟିହୀନତାର ନମୁନା ।

ସେହିଭଳି ରାଜ୍ୟ ରାଜଧାନୀରେ କୌଣସି ଇନଷ୍ଟିଚ୍ୟୁସନାଲ ଏରିଆ ନାହିଁ । ଯଦିଓ ତିନି ବା ତତୋଧିକ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ୍ ରହିଛି। ଯେଉଁଠି ଟେକ୍ନିକାଲ ଶିକ୍ଷିତଙ୍କ ସଂଖ୍ୟା କମ୍, ସେଠାରେ ଇଣ୍ଡଷ୍ଟ୍ରି ବସେଇବ କିଏ? ଯଦି ଭୁବନେଶ୍ୱରରେ ଇନଷ୍ଟିଚ୍ୟୁସନାଲ ଏରିଆ ଥାଆନ୍ତା, ତେବେ କେବଳ ଆଦିବାସୀ ବିଦ୍ୟାର୍ଥୀମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ଅନନ୍ୟ ଅନୁଷ୍ଠାନ କିସ୍ (କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସେସ୍)କୁ ଜମି ଦୁର୍ନୀତି ଅଭିଯୋଗର ଶରବ୍ୟ ହେବାକୁ ପଡ଼ି ନଥାଆନ୍ତା ।

୧୯୯୮ରେ ସି.ୱାଇ.ଏସ୍.ଡି. (ଯୁବ ଓ ସମାଜ ବିକାଶ କେନ୍ଦ୍ର) ନିଜସ୍ୱ ଅଟ୍ଟାଳିକା କାର୍ଯ୍ୟକ୍ଷମ ହେବା ବେଳକୁ ମୁଁ ସେଠାରେ ଚାକିରି କରୁଥିଲି । ସେତେବେଳେ ଡାକଠିକଣା ସଂକଟ ଦେଖାଦେବାରୁ ସି.ୱାଇ.ଏସ୍.ଡି.ର ତତ୍କାଳୀନ ପ୍ରାଶାସନିକ ଅଧିକାରୀ ଶୁଭ୍ର ରାୟଙ୍କୁ ପ୍ରସ୍ତାବ ଦେଇଥିଲି ଜୟଦେବବିହାର ବା ନୂଆପଲ୍ଲୀ ନଲେଖି ଇନଷ୍ଟିଚ୍ୟୁସନାଲ ଏରିଆ ଲେଖିବା ପାଇଁ । ସେ ପ୍ରଥମେ କୁନ୍ଥୁକୁନ୍ଥୁ ହେଲେ, କହିଲେ - ଏଟା କ’ଣ ଦିଲ୍ଲୀ ନା ମୁମ୍ବାଇ? ଏଠି ଇନଷ୍ଟିଚ୍ୟୁସନାଲ ଏରିଆ ବୋଲି କିଛି ନାହିଁ । ମୁଁ କହିଲି କି ଅଂଚଳର ନାମକରଣରେ ଆମ ସରକାର ଭାରୀ ଦୁର୍ବଳ, ତେଣୁ ଜନସାଧାରଣ ହିଁ ନୂଆ କାମ କରିବେ। ଶେଷରେ ସେ ଗ୍ରହଣ କଲେ ଏବଂ ସେବେଠୁ ଲେଖାଚାଲିଛି ଇ-୧, ଇନଷ୍ଟିଚ୍ୟୁସନାଲ ଏରିଆ। ପରବର୍ତୀ କାଳରେ ପାଖରେ ଇନ୍ଦିରାଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ(ଇଗ୍ନୋ)ର ନିଜସ୍ୱ କୋଠା କାର୍ଯ୍ୟକ୍ଷମ ହେବା ପରେ ସେମାନେ ମଧ୍ୟ ଇନଷ୍ଟିଚ୍ୟୁସନାଲ ଏରିଆ ଶବ୍ଦ ଲେଖିଲେ। କିନ୍ତୁ ରାଜସ୍ୱ ବିଭାଗ ନଥିରେ ବା ସାଧାରଣ ପ୍ରଶାସନ ବିଭାଗ ନଥିରେ ଏହି ଶବ୍ଦର ଉଲ୍ଲେଖ ନାହିଁ ।

ଏଠାରେ ରାଜ୍ୟ ପ୍ରଶାସନକୁ ଆମ୍ଭେ ମନେପକାଇ ଦେବାକୁ ଚାହୁଁ ଯେ ଚନ୍ଦକା ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟର ୮୦ ଭାଗ ପ୍ଲଟ୍ ବିଭିନ୍ନ ଅଣଶିଳ୍ପକୁ ଦିଆଯାଇଥିବାରୁ ତାହାକୁ ଇନଷ୍ଟିଚ୍ୟୁସନାଲ ଏରିଆ ଘୋଷଣା କରନ୍ତୁ। ଫଳରେ କିସ୍ ନାମରେ ଉଠିଥିବା ଜମି କେଳେଙ୍କାରୀ କଳଙ୍କକୁ ପୋଛି ଦିଆଯାଇ ପାରିବ। ଆଉ ଏହା ସହ ସରକାର ତୁରନ୍ତ ଭୁବନେଶ୍ୱରରେ ବହୁତଳ ବିଶିଷ୍ଟ ସିଜିଓ କମ୍ପ୍ଲେକ୍ସ ପ୍ରତିଷ୍ଠା କରନ୍ତୁ । ଏବେର ମୁଖ୍ୟ ଶାସନସଚିବଙ୍କ ଉପରେ ଆମ୍ଭର ପୂର୍ଣ ବିଶ୍ୱାସ, ଗାଣତନ୍ତ୍ରିକ ମୂଲ୍ୟବୋଧକୁ ସମ୍ମାନ ଦେଇ ସେ ତୁରନ୍ତ ଚଳିତ ଆର୍ଥିକ ବର୍ଷରେ ହିଁ ତାହାର ଭୂମିପୂଜନ ସାରିବେ ।

ବିମଳପ୍ରସାଦ, bimal.odisha@yahoo.in

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA