କାହିଁକି ବିଗିଡ଼ିବ ଆହାର ଯୋଜନା?

ଚଳିତ ୨୦୧୫ ମସିହା ମାର୍ଚ  ତାରିଖ ବିଜୁ ବାବୁଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ସରକାର ଘୋଷଣା କଲେ ଯେ ଓଡ଼ିଶାର ଟି ପୌରନିଗମ (ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା) ଅଞ୍ଚଳରେ ବକ୍ତକୁ ୫ଟଙ୍କାରେ ଆହାର ଯୋଜନା ଅଧୀନରେ ଲୋକଙ୍କୁ ଭାତ ଡାଲମା ଖାଇବାକୁ ଦେବେ । ଗଣମାଧ୍ୟମବାଲା କିଛି କିଛି କଥା ଅନୁମାନ ଲଗାଇ କହିଲେ/ ଛାପିଲେ। ଯାହା ଯାହା ଛାଡ଼ିଗଲେ, ସେଗୁଡ଼ିକ ଏଠାରେ ବଖାଣୁଛୁ:-

୧. ଗତାନୁଗତିକ ଢଙ୍ଗରେ ରାଜ୍ୟସରକାର ଏହି ଅନ୍ନଛତର କାର୍ଯ୍ୟକ୍ରମର କୌଣସି ମାର୍ଗଦର୍ଶିକା ଏଯାଏଁ ଜାରି କରି ନାହାନ୍ତି । ତେଣୁ ଏହା ସମ୍ଭବତଃ କୌଣସି ବିଭାଗୀୟ ଶାସନସଚିବଙ୍କ ଇଂଲିଶ୍ ଚିଠି ବଳରେ କାର୍ଯ୍ୟକାରୀ ହେବ ।

୨.   ସରକାରଙ୍କର ଦମ୍ ଅଛି ତ ଓଡ଼ିଆରେ ଗେଜେଟ୍ ପ୍ରକାଶ କରନ୍ତୁ ।

୩.  ପ୍ରାଥମିକ ବିଦ୍ୟାଳୟର ମଧ୍ୟାହ୍ଣଭୋଜନ ପାଇଁ ରୋଷେଇଘର ସମସ୍ୟା ବେଶ୍ ଆଲୋଚିତ ହେଉଥିବା ବେଳେ ମାର୍ଗଦର୍ଶିକା ବା ଗାଇଡ଼ଲାଇନ୍ ବାହାରିଥିଲେ ହୁଏତ, ରୋଷେଇଘର ଓ ପରିଚ୍ଛନ୍ନତା ପ୍ରସଙ୍ଗ ସ୍ପଷ୍ଟ ହୋଇ ଯାଇଥାଆନ୍ତା ।

୪.   ଅନ୍ନଛତ୍ରରେ ଲୋକେ ଷ୍ଟାଇଲ୍‌ରେ ଠିଆ ହୋଇ ଖାଇବେ କି ବସିକରି ଖାଇବେ? ସହରୀ ଲୋକଙ୍କର ଠିଆ ହୋଇ ଖାଇବାର ଅଭ୍ୟାସ ଅଛି । ହେଲେ ଗାଆଁରୁ ଆସିଥିବା ଲୋକେ ତଥା ବସ୍ତିବାସିନ୍ଦାମାନେ ଠିଆ ହୋଇ ଖାଇବାରେ ଅସୁବିଧାରେ ପଡ଼ି ପାରନ୍ତି । ନଚେତ୍ ପଲିଥିନ୍‌ରେ ପ୍ୟାକ୍ କରି ଅଥବା ଟିଫିନ୍ କ୍ୟାରିଅରରେ ଘରକୁ ନେଇଯିବେ ।

୫.  ଶୁଦ୍ଧ ପିଇବା ପାଣି, ଆଉ ଏକ ବଡ଼ କଣ୍ଟା । ଏ ଦାରୁଣ ଗିରିଷମ କାଳରେ ସରକାର ମାହାପୁରୁ କ'ଣ ଭଲ ପିଇବା ପାଣି ଟୋପେ ଦେଇ ପାରିବେ?

୬.  ଉପରୋକ୍ତ କଥା ସମେତ ଖବର ପାଇଁ କିଛି ଖବରଦାତା ଡାଲମାରୁ ଚମ୍ପେଇନେଉଳ, ଭାତରୁ ଝିଟିପିଟି ଓ ପୋକ ଖୋଜିବାରେ ବ୍ୟସ୍ତ ରହି ପାରନ୍ତି ।

୭.  ଏହି ଆହାର ସ୍କିମ୍ ଏକ ସରକାରୀ ଦୟା ବୋଲି ବିବେଚନା କରି ଚାଉଳ ଓ ଡାଲି ଯୋଗାଣକାରୀ ମହାଜନ ତାଙ୍କ ଗୋଦାମର ସବୁଠୁ ଖରାପ ବସ୍ତାଗୁଡ଼ିକ ଖଲାସ କରିଦେବେ । ପରିବାବିକାଳି ମହାଜନମାନେ ମଧ୍ୟ ଅଳ୍ପ ଷଢ଼ି ଯାଇଥିବା ବେଙ୍ଗାଲୁରୁ ମାଲ୍ ଖସେଇଦେବେ ।

୮.  ରାଉରକେଲାରେ ଜୀବନଧାରଣ ମାନ ବେଶ୍ ଉଚ୍ଚରେ ଥିବାରୁ ଏହି ୫ଟଙ୍କିଆ ଭାତ ଡାଲମା କାର୍ଯ୍ୟକ୍ରମ ସେଠାରେ ଫେଲ୍ ମାରିବ । ରାଜ୍ୟର ସବୁଠୁ ମହଙ୍ଗା ଅଞ୍ଚଳ ହେଉଛି ରାଉରକେଲା-ସୁନ୍ଦରଗଡ଼ ଅଞ୍ଚଳ । ଯେଉଁଠି ବରା ଗୋଟାକୁ ୫ଟଙ୍କାରୁ ୧୦ ଟଙ୍କା ପର୍ଯ୍ୟନ୍ତ। ସବୁଠୁ ସୁଲଭ ଦରରେ ଖାଦ୍ୟ ମିଳୁଥିବା ବ୍ରହ୍ମପୁର ସହରରେ ବରା ଦାମ୍ ୧୦ ଟଙ୍କା ହେବାକୁ ହୁଏତ ଆହୁରି ୧୦ ବର୍ଷ ଲାଗିବ । 

୯.  ରାଉରକେଲା ବ୍ୟତୀତ ଆଉ ସବୁ ପୌରନିଗମରେ ହୁଏତ ଦରିଦ୍ର ଲୋକେ ଧାଡ଼ି ଲଗାଇ ପାରନ୍ତି । କିନ୍ତୁ ଅନ୍ୟ ଏକ ସୂଚକକୁ ଲକ୍ଷ୍ୟ କଲେ, ଏହା ଗୋଟାପଣେ ପ୍ରତ୍ୟାଖ୍ୟାତ ହେବା ପରି ଲାଗୁଛି । ଭେଣ୍ଡିଂଜୋନ୍ ପରମ୍ପରା ଲାଗୁ ହେବା ପରେ ବସ୍ତିବାସୀଙ୍କ ଜୀବନଶୈଳୀ ବଦଳିଛି । ବିଶେଷତଃ ଖାଦ୍ୟପାନୀୟରେ ବି ସେମାନେ କିଛି ରୁଚି ଜାବୁଡ଼ି ଧରିଛନ୍ତି । ଆଜିକାଲି ଆଉ ବସ୍ତିବାସୀମାନେ ଟିଭି କେବୁଲ୍‌ରୁ ଆନାଲଗ୍ ସିଗ୍‌ନାଲ୍‌ ଚୋରି କରି ଟିଭି ଦେଖୁନାହାନ୍ତି, ବରଂ ବିଭିନ୍ନ ପେଡ଼୍ ଡିଟିଏଚ୍‌ରେ ମାସିକ ୪୫୦ ଟଙ୍କିଆ ପ୍ରିମିଅମ୍ ପ୍ୟାକ୍‌ରେ ସବୁ ଚ୍ୟାନେଲ୍‌ ଦେଖୁଛନ୍ତି । ତେଣୁ ଲାଗୁଛି ଏହି ଭାତ ଡାଲମା ସ୍କିମ୍ ଏକ ପ୍ରହସନରେ ପରିଣତ ହେବ ।

୧୦.  ଡାଲମାରେ ବାଇଗଣ ପଡ଼ିଥିଲେ, ତାହା ପୂରା ବେକାର କରିଦେବ ସ୍ୱାଦକୁ । ତେଣୁ ରାନ୍ଧଣା ବିଶାରଦଙ୍କ ପରାମର୍ଶ ନିଆଯିବ କି ନାହିଁ, ତାହା ମଧ୍ୟ ଆଉ ଏକ ପ୍ରଶ୍ନ ।

୧୧. କେନ୍ଦ୍ର ସରକାରଙ୍କ ପରି ରାଜ୍ୟ ସରକାର ମଧ୍ୟ ପେସାଦାର ଶୈଳୀରେ ଏକ ସୁଦୀର୍ଘ ମାର୍ଗଦର୍ଶିକା ଜାରି କରିବା ବହୁତ ଭଲ ହେବ । ସେଥିରେ ମାରୱାଡ଼ି ବାସା, ପଞ୍ଜାବୀ ଢାବା ବା ସାଉଥ୍ ଇଣ୍ଡିଆନ୍ ଭୋଜନାଳୟ ତତ୍ତ୍ୱକୁ ଧ୍ୟାନ ଦେବା ନିହାତି ଦରକାର ବୋଲି ଆମ୍ଭେ ଅନୁମାନ କରୁଛୁ । 

୧୨.  ଆଚାର ଟିକେ ନହେଲେ କ’ଣ ଏତେ ବଡ଼ ଖରାଦିନରେ ବଗଡ଼ା ଭାତ ତଣ୍ଟିରେ ଗଳିବ? ଆଚାର ପ୍ରାୟୋଜକ କିଏ ହେଉଛନ୍ତି, ଦେଖିବାକୁ ରହିଲା ।

ବିମଳପ୍ରସାଦ, ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

theophile said…
ସରକାର ଏହି ଯୋଜନା ମାଧ୍ୟମରେ ଲୋକଙ୍କୁ ପଙ୍ଗୁ ଅଥର୍ବ କରିବାକୁ ଚେଷ୍ଟା କରୁଛି । ଦିନ ମଜୁରିଆ ଓ ଗରିବୀ ଶ୍ରେଣୀର ଲୋକମାନଙ୍କର ଭୋଟ କୁ ହାତେଇବା ପାଇଁ ଏହା ଏକ ଭୋଟ ବ୍ୟାଙ୍କର ରାଜନୀତି -ତେବେ ବିଜୁ ଗାଡି ଯୋଜନା , ଆହାର ଯୋଜନା କାହିଁ କି ??? ଗରିବୀ ହଟାଇବା ପାଇଁ ଯଦି ସରକାର ଏତେ ତତ୍ପର ତେବେ ଲୋକଙ୍କୁ ହାତକୁ କାମ ଦେଉ ପାଞ୍ଚ ଟଙ୍କିଆ ଆହାର କଣହେବ ରୋଗ କିଣିବ ???