ନୂଆ ବର୍ଷରୁ ନୀତି ଆୟୋଗ

ପାଞ୍ଚ ଦଶନ୍ଧିର ପୁରୁଣା ଯୋଜନା ଆୟୋଗ (ପ୍ଲାନିଂ କମିଶନ)କୁ ଅଚଳ କରି ଦିଆଯାଇଛି । ସେହି ସ୍ଥାନରେ କାର୍ଯ୍ୟ କରିବ ନୀତି ଆୟୋଗ। ମୌଳିକ ଭାବରେ ଏହାକୁ ଭାରତୀୟ ଭାଷାରେ ନାମକରଣ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟକୁ ଅନେକ ଲୋକ ସେଣ୍ଟ୍ରାଲ ସ୍କୁଲ୍ କହିବା ଭଳି ଏହି ନୀତି ଆୟୋଗକୁ ସେହି ଲୋକମାନେ ପଲିସି କମିଶନ କହିପାରିବେ । (ପରବର୍ତ୍ତୀ ସମୟରେ ଏହି ନୀତି ଆୟୋଗର ନୀତି ଶବ୍ଦକୁ NITI କରି ତାହାର ଏକ ପୂର୍ଣନାମ ବାହାର କରାଯାଇଛି, ଯାହା ହେଉଛି - National Institute for Transforming India)

ସ୍ୱାଧୀନତାଦିବସ  ଅବସରରେ ପ୍ରଧାନମନ୍ତ୍ରୀ ରୂପେ ନରେନ୍ଦ୍ର ମୋଦି ତାଙ୍କର ପ୍ରଥମ ଭାଷଣରେ ପ୍ଲାନିଂ କମିଶନକୁ ଭାଙ୍ଗିଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ପରିବର୍ତନଶୀଳ ଆର୍ଥନୀତିକ ବାସ୍ତବତାକୁ ଧ୍ୟାନ ଦେଇ ପ୍ରଧାନମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ନୂଆ ଆୟୋଗର ଢାଞ୍ଚା ଓ କାର୍ଯ୍ୟପରିସର କଅଣ ହେବ, ତାହା ଚୂଡାନ୍ତ କରିବା ପାଇଁ ୭ ଡିସେମ୍ବର ୨୦୧୪ରେ ନୂଆଦିଲ୍ଲୀ ଠାରେ ଦେଶର ସମସ୍ତ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟଶାସନସଚିବ ମାନଙ୍କ ସହ ପ୍ରଧାନମନ୍ତ୍ରୀ ବିମର୍ଷ କରିବେ । ନୀତି ଆୟୋଗର ପ୍ରସ୍ତାବିତ କଳେବରରେ କେଉଁମାନେ ସଦସ୍ୟ ରହିବେ ତାହା ଧାର୍ଯ୍ୟ ହେବ । ଏହା ସ୍ପଷ୍ଟ ଯେ ନିଜର ପଦଯୁକ୍ତ କ୍ଷମତା ବଳରେ ପ୍ରଧାନମନ୍ତ୍ରୀ ଏହାର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରିବେ ।

ଏହି ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ କିଏ ହେବେ, ତାହା ସମ୍ଭବତଃ ଖୁବ୍ ଶୀଘ୍ର ଜଣାପଡ଼ିଯିବ । ନୀତି ଆୟୋଗର ନୂଆ କଳେବରରେ ୪ଟି ବିଭାଗ ରହିବ; ସେଗୁଡ଼ିକ ହେଉଛି - ଆନ୍ତଃରାଜ୍ୟ ପରିଷଦ, ପ୍ରତ୍ୟକ୍ଷ ହିତ ହସ୍ତାନ୍ତର(ଡିବିଟି) ଦପ୍ତର, ଭାରତର ଅନନ୍ୟ ପରିଚୟ କର୍ତ୍ତୃପକ୍ଷ (ଆଧାର), ଏବଂ କାର୍ଯ୍ୟକ୍ରମ ମୂଲ୍ୟାୟନ ୟୁନିଟ୍ । ପ୍ରତ୍ୟେକ ବିଭାଗରେ ଜଣେ ଜଣେ ସଚିବ ସ୍ତରର ଅଧିକାରୀ ମୁଖିଆ ଭାବେ କାର୍ଯ୍ୟ କରିବେ । ଏଭଳି କେତୋଟି ବିଭାଗ ଆଗରୁ ଯୋଜନା ଆୟୋଗ ଅଧୀନରେ ମଧ୍ୟ ରହିଥିଲା ଅଥବା କୌଣସି ମନ୍ତ୍ରାଳୟ ସହ ଗୁନ୍ଥି ହୋଇ କାର୍ଯ୍ୟ କରୁଥିଲା। ତେବେ ପ୍ରସ୍ତାବିତ ନୀତି ଆୟୋଗର ଆନ୍ତଃରାଜ୍ୟ ପରିଷଦ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ନିୟନ୍ତ୍ରଣରେ ରହି କାର୍ଯ୍ୟ କରିବ । ଯାହାକି ମୋଦିଙ୍କ ବିଚାରଧାରାରେ ସହଯୋଗଭିତ୍ତିକ ସଂଘୀୟ ବ୍ୟବସ୍ଥା (Cooperative Federalism) ରୂପେ ପ୍ରତ୍ୟେକ ରାଜ୍ୟକୁ ଅଭିବୃଦ୍ଧି ପ୍ରକ୍ରିୟାରେ ସମଭାଗୀଦାର କରିବ ।

ଯୋଜନା ଆୟୋଗ  ନୀତି ପ୍ରଣୟନ କରୁଥିଲା ଏବଂ ସେଥିପାଇଁ ବଜେଟ୍ ବା ବ୍ୟୟ ଆକଳନ ମଧ୍ୟ ପ୍ରସ୍ତୁତ କରୁଥିଲା । ତେବେ ଯୋଜନା ଆୟୋଗ ପାଖରେ ପାଣ୍ଠି ଖଲାସର ଯେଉଁ କ୍ଷମତା ଥିଲା, ତାହା ନୀତି ଆୟୋଗର ରହିବ ନାହିଁ । ଅତଏବ ବିଭିନ୍ନ କେନ୍ଦ୍ରୀୟ ଅନୁଦାନ ଓ କେନ୍ଦ୍ର ପ୍ରାୟୋଜିତ ବିକାଶମୂଳକ ସ୍କିମ୍ ଅଧୀନରେ ଅନୁଦାନ ଓ କିସ୍ତି ହାସଲ ପାଇଁ ରାଜ୍ୟ ପ୍ରଶାସନମାନେ ଯେଉଁ ଲାଞ୍ଚ ଦେଉଥିଲେ, ତାହାର ରୂପରେଖ ବଦଳିଯିବ । ହୁଏତ ଅନେକ ଗଣମାଧ୍ୟମ ଏହି ଦାପ୍ତରିକ ଲାଞ୍ଚ କାରବାର ଉପରେ ଅବଗତ ନଥିବେ । ପାଣ୍ଠି ଖଲାସ କ୍ଷମତା ଏଣିକି ଅର୍ଥ ମନ୍ତ୍ରାଳୟ ଅଥବା ବିଭିନ୍ନ ମନ୍ତ୍ରାଳୟର କ୍ଷମତା ପରିସରରେ ଆବଦ୍ଧ ହୋଇଯିବ ।

ଆସନ୍ତୁ ଆମେ ନିଜନିଜ ବାଗରେ ଏହି ନୀତି ଆୟୋଗକୁ ସ୍ୱାଗତ କରିବା । ଆମ ଦେଶକୁ ଅନ୍ତତଃ ପଡ଼ୋଶୀ ଚୀନ୍ ସହ ସମକକ୍ଷ କରିବା ପାଇଁ ପ୍ରଥମେ ଲକ୍ଷ୍ୟ ରଖିବା ।

(ଜନସ୍ୱାର୍ଥ ଉଦେଶ୍ୟରେ ଏହି ସୂଚନାର ବ୍ୟାପକ ପ୍ରସାର ପାଇଁ ବ୍ଲଗରଙ୍କ ଅନୁମତି ଅନାବଶ୍ୟକ)

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA