ନମ୍ବର ପୋର୍ଟେବିଲିଟି ମେ ୨୦୧୫ରେ !

ନୂଆ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ମୋବାଇଲ ନମ୍ବର ପୋର୍ଟେବିଲିଟି ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ (ଗୋଟିଏ ସର୍କଲରୁ ଅନ୍ୟ ସର୍କଲକୁ) ହୋଇପାରିବ । ଆଉ ଏହା କାର୍ଯ୍ୟକାରୀ ହେବ, ୨୦୧୫ ମସିହା ମେ ମାସରୁ । ଗତ ୟୁପିଏ ସରକାର ୩ ଥର ଏଭଳି ପ୍ରତିଶ୍ରୁତି ଦେଇ ବିଫଳ  ହୋଇଥିଲେ। ଏହାର କାରଣ ହେଉଛି - ମୋବାଇଲ ଅପରେଟର ଆସୋସିଏସନ୍ ସବୁବେଳେ ସରକାରଙ୍କୁ ବିଭ୍ରାନ୍ତ ଓ ଉଦ୍ଭ୍ରାନ୍ତ କରିଚାଲିଛି । ଆପଣ କ'ଣ ଭାବୁଛନ୍ତି, ଏହି ଏନ୍.ଡି.ଏ.-୨ ସରକାର ଏ ସିଦ୍ଧାନ୍ତକୁ କାର୍ଯ୍ୟକାରୀ କରିପାରିବେ?  ଯଦିଓ ଏହା ଦ୍ୱାରା ବିଶେଷ କିଛି ସମସ୍ୟାର ସମାଧାନ ହେବ ନାହିଁ ।

ଜନସାଧାରଣଙ୍କର ଦାବି ଥିଲା ଦେଶବ୍ୟାପୀ ରୋମିଂମୁକ୍ତ ନିରନ୍ତର ଦୂରସଂଚାର ସେବା ମୋବାଇଲଫୋନ୍ ଜରିଆରେ । କିନ୍ତୁ ତାହାକୁ ମୋବାଇଲ ଟେଲିକମ୍ ଅପରେଟରମାନେ କରାଇ ଦେଉ ନାହାନ୍ତି । ସ୍ପେକ୍ଟ୍ରମ୍ ବେପାର କାରଣରୁ ସରକାର କେବଳ ସେମାନଙ୍କ କଥାରେ ଥେଇ ଥେଇ ହେଉଛନ୍ତି । କେନ୍ଦ୍ର ଗେହ୍ଲାପୁଅ କରିଥିବା ଉଚ୍ଚ ବେତନଭୋଗୀ ଇଂଜିନିୟର ସାମ୍ ପିଟ୍ରୋଡ଼ା କି ବୁଦ୍ଧି ଦେଉଛନ୍ତି, ତାହା କାହାକୁ ବି  ଜଣା ନାହିଁ ।

ଇ-ଗଭର୍ନାନ୍ସ , ଏମ୍-ଗଭର୍ନାନ୍ସ ଓ ଆଧାର କାର୍ଡ଼ ଭଳି ଗୁରୁତ୍ୱପୂର୍ଣ ନୀତି ଓ କାର୍ଯ୍ୟକ୍ରମ ତଥା ଶାସନ ସଂସ୍କାର ପାଇଁ ଜୀବନବ୍ୟାପୀ ପ୍ରତ୍ୟେକ ନାଗରିକଙ୍କର ଗୋଟିଏ ମୋବାଇଲ ନମ୍ବର ରହିବା ଗୁରୁତ୍ୱପୂର୍ଣ । କିନ୍ତୁ ଲାଗୁଛି,  ସରକାର ପୋଷିଥିବା ଉପଦେଷ୍ଟା ବା କନସଲଟାଣ୍ଟମାନେ ତାହା ପ୍ରତି ଆଦୌ ସଚେତନ ନାହାନ୍ତି । ଏଣେ ଇଣ୍ଟରନେଟ୍ କନେକ୍ସନ୍ ନାମରେ ଅନେକ ଉପଭୋକ୍ତା ପ୍ରତି ୩ ମାସରେ ଗୋଟିଏ ଲେଖାଏଁ ସିମ୍ କାର୍ଡ଼ ଫୋପାଡ଼ୁଛନ୍ତି । ଏତେ ଢିଲା ନୀତି ନିୟମ ଆମର ନିରାପତ୍ତାକୁ ବିପନ୍ନ କରୁଛି । ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା ବ୍ୟବହାର କରିଥିବା ୧୦ଟିରୁ ଅଧିକ ସିମ୍ ପ୍ରସଙ୍ଗ ମଧ୍ୟ ଅନୁସନ୍ଧାନକାରୀ ଅଫିସର ଓ ଗଣମାଧ୍ୟମ ପାଶୋରି ପକାଇଛନ୍ତି । ଦେଶକୁ ଯଦି ଗୋଟିଏ ଟେଲିକମ୍ ସର୍କଲରେ ପରିଣତ କରାଯାଇ ନପାରିବ, ତେବେ ଆମେ ଦେଶକୁ ଆଗକୁ ନେବା ମୁସ୍କିଲ ହୋଇ ପଡ଼ିବ ।

ଏଣେ ୪ଜି ଓ ୩ଜି ଜ୍ଞାନକୌଶଳ ହିଁ ଯୋଗାଯୋଗ କ୍ଷେତ୍ରରେ ଏକ ସରଳ ଓ ବୈପ୍ଳବିକ ସମାଧାନ ହୋଇପାରୁଥିବା ବେଳେ ୨ଜି ସ୍ପେକ୍ଟ୍ରମ୍ ଦୁର୍ନୀତିରୁ ଆଜି ପର୍ଯନ୍ତ ପରଦା ଉଠି ପାରୁନାହିଁ । ଦେଶରେ କେବଳ ୪ଜି ଓ ୩ଜି ହ୍ୟାଣ୍ଡସେଟ୍ ଉତ୍ପାଦନର ଆବଶ୍ୟକତା ଥିବା ବେଳେ ୨ଜି ହ୍ୟାଣ୍ଡସେଟ୍ ଉତ୍ପାଦନ ଉପରେ ସରକାର କୌଣସି ଅଙ୍କୁଶ ଲଗାଇନାହାନ୍ତି । ଯେଉଁମାନେ ଦୂରସଂଚାର ମନ୍ତ୍ରୀ ହେଉଛନ୍ତି, ସେମାନଙ୍କର ପ୍ରଯୁକ୍ତି ବା ଜ୍ଞାନକୌଶଳ ଉପରେ କୌଣସି ଜ୍ଞାନ ନରହିବା ଦେଶ ପାଇଁ ଅନେକ କ୍ଷତିକାରକ । ତେବେ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ  ଜୟ ବିଜ୍ଞାନର ନାରା ଦେଇଥିଲେ,ଏବେର ବିଜେପି ନେତୃତ୍ୱାଧୀନ ଏନ୍.ଡି.ଏ. ସରକାର ତାହାକୁ ଆଗକୁ ନେଇ ପାରିବ କି ନାହିଁ, ତାହା ଦେଖିବାକୁ ରହିଲା ।

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA