ଜୁନ୍ ୨୦୧୫ରୁ ୱାଇଫାଇ ହଟସ୍ପଟ୍

ଡିଜିଟାଲ ଇଣ୍ଡିଆ  ଦିଗରେ ପାଦେ ଆଗକୁ ଯିବାକୁ ଜୁନ୍ ୨୦୧୫ ସୁଦ୍ଧା ଦେଶର ୨୫ଟି ସହରର ବଛାବଛା ସ୍ଥାନରେ ୱାଇଫାଇ ସେବା ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ସରକାର ୩-୪ଟି ୱାଇଫାଇ ସେବା ପ୍ରଦାନକାରୀ କମ୍ପାନୀକୁ ତାଲିକାବଦ୍ଧ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ଦେଶର ୧୦ଲକ୍ଷରୁ ବେଶି ଜନସଂଖ୍ୟା ସଂପନ୍ନ ୨୫ଟି ସହର ବ୍ୟତୀତ ବଛାବଛା ପର୍ଯ୍ୟଟନସ୍ଥଳୀରେ ଏହି ସେବା ଆରମ୍ଭ ହେବ ।  ଏହି ପ୍ରକଳ୍ପକୁ ଦୂରସଂଚାର ବିଭାଗ ଓ ସହରବିକାଶ ମନ୍ତ୍ରାଳୟ ମିଳିତ ଭାବେ କାର୍ଯ୍ୟକାରୀ କରୁଛନ୍ତି ।

ୱାଇଫାଇ ସେବା ଦ୍ୱାରା ଲୋକମାନେ ନିଜ ସ୍ମାର୍ଟଫୋନ୍, ଟାବ୍, ଲ୍ୟାପଟପ୍ ପିସି ଇତ୍ୟାଦିରେ ଇଂଟରନେଟ୍ ସଂଯୋଗ ମାଗଣାରେ ପାଇପାରିବେ । ଖୁସୀର କଥା ଯେ ଏହି ଯୋଜନାରେ ଓଡ଼ିଶାର ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟମନ୍ଦିର ସାମିଲ ଅଛି ।  ସଂପୃକ୍ତ ଦୂରସଂଚାର କମ୍ପାନୀମାନେ କ୍ରୟାଦେଶ ପାଇବାର ୩ ମାସ ମଧ୍ୟରେ ନେଟୱର୍କ ବିସ୍ତାର ପ୍ରକ୍ରିୟାକୁ ସାରିବେ । ଏଥିପାଇଁ ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ଠାରୁ ଅନୁମତି ହାସଲ କରିବାକୁ ପଡ଼ିବ ।

ସରକାର ସ୍ୱତନ୍ତ୍ର ଭାବରେ ୨୫ଟି ପ୍ରତ୍ନତାତ୍ତ୍ୱିକ ଗୁରୁତ୍ୱସଂପନ୍ନ ପର୍ଯ୍ୟଟନସ୍ଥଳୀକୁ ୱାଇଫାଇ ହଟସ୍ପଟ୍  କରିବାକୁ ନିଷ୍ପତ୍ତି କରିଛନ୍ତି । ଏଥିରେ ମୁଖ୍ୟତଃ:- ହୁମାୟୁନଙ୍କ ମକବରା, ଲାଲକିଲ୍ଲା, କୁତବ୍ କମ୍ପ୍ଲେକ୍ସ (ଦିଲ୍ଲୀ); ତାଜମହଲ, ଫତେପୁର ସିକ୍ରି, ଶ୍ରାବସ୍ତୀ ଓ ସାରନାଥ (ଉତ୍ତର ପ୍ରଦେଶ); ବୈଶାଳୀ-କୋହୁଆ (ବିହାର); ମାର୍ତଣ୍ଡ ମନ୍ଦିର ଓ ଲେହ ପ୍ୟାଲେସ୍ (ଜମ୍ମୁ ଓ କଶ୍ମୀର), କୋଣାର୍କ ମନ୍ଦିର (ଓଡ଼ିଶା); ରାନୀ କି ଭବନ (ଗୁଜରାଟ);  ଖଜୁରାଓ, ମଣ୍ଡୁ (ମଧ୍ୟପ୍ରଦେଶ); ମହାବଳିପୁରମ୍ (ତାମିଲନାଡୁ); ଏବଂ ରଙ୍ଗଘର (ଆସାମ) ଆଦି ଦର୍ଶନୀୟ ସ୍ଥାନଗୁଡ଼ିକ ସାମିଲ ଅଛି ।

ମାଗଣାରେ ଇଣ୍ଟରନେଟ୍ ସଂଯୋଗ ପାଇବା ପରେ ମୁଖ୍ୟତଃ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଯୁବପିଢ଼ି ଅନ୍-ଲାଇନ୍ ପ୍ରେମାଳାପ କରିବାରେ ହିଁ ବେଶି ବ୍ୟବହାର କରିବେ । ତଥାପି ପ୍ରଯୁକ୍ତି ସହ ଯୁବପିଢ଼ିଙ୍କୁ ଅଭ୍ୟସ୍ତ କରି ଦେଶରେ ଇ-ଗଭର୍ନାନସ୍ ଲକ୍ଷ୍ୟକୁ ସାକାର କରିବାକୁ ହେବ । ଅନ୍ୟ ପକ୍ଷରେ ପର୍ଯ୍ୟଟନସ୍ଥଳୀରେ ୱାଇଫାଇ ହଟସ୍ପଟ୍ କାର୍ଯ୍ୟକାରୀ ହେଲେ ଶିକ୍ଷିତ ପର୍ଯ୍ୟଟକଙ୍କ ଆଗମନ ହାର ବଢ଼ିବ । ଏହା ନିଃସଂଦେହ ।

ବିମଳପ୍ରସାଦ, ୯୯୩୭୩୫୩୨୯୩

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA