ଭୁବନେଶ୍ୱର-କଟକ ମେଟ୍ରୋ ରେଳର ଇନ୍ଦ୍ରଜାଲ!

୨୦୧୪ ଅଗଷ୍ଟ ୨୨ ତାରିଖରେ ଓଡ଼ିଶା ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଯାହାକୁ ଗଣମାଧ୍ୟମ ଖୁସି ଖବର ବୋଲି ବର୍ଣନା କରିଛି। ତାହା ହେଉଛି କଟକ-ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ୍ ଚଳାଚଳ। ସେହି ପରିପ୍ରେକ୍ଷୀରେ ଆମ୍ଭେ ଜନସାଧାରଣଙ୍କୁ କିଛି ସୂଚନା ଦେବା ସହ ସତର୍କ କରାଇ ଦେବାକୁ ଇଚ୍ଛା କରିଛୁ...

  1. ଓଡ଼ିଶା ଗଣମାଧ୍ୟମ ଏବେ ଅତୀତକୁ ରୋମନ୍ଥନ କରିବାରେ ବ୍ୟସ୍ତ ଥିବା ବେଳେ ଭବିଷ୍ୟତକୁ ଆଦୌ ଦେଖୁୁ ନାହିଁ । ଏଣେ ଗୋଟିଏ ଦକ୍ଷିଣୀ କମ୍ପାନୀ ସହ ବୁଝାମଣା ସ୍ଵାକ୍ଷରିତ ହୋଇଛି ଏବଂ ସେହି କମ୍ପାନୀର ଅଭିଜ୍ଞତା କ'ଣ କାହାକୁ ଜଣା ନାହିଁ । ତେବେ ଡିପିଆର୍ ବା ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ କରି ସେହି କମ୍ପାନୀ ଅଢ଼େଇ କୋଟି ଟଙ୍କା ପ୍ରଥମେ ନେଇଯିବ ।
  2. ସବୁଠୁ ଆଶ୍ଚର୍ଯ୍ୟର କଥା ଯେ ଡିପିଆର ନହେଉଣୁ ଆକଳନ ୨୨୫୦କୋଟି ବୋଲି ଘୋଷଣା ସରିଯାଇଛି । ଅର୍ଥାତ୍ ଆମ ଦେଶର ବଜେଟିଂ ଢଙ୍ଗ ଅନୁସାରେ ଏହି ଆକଳନ ରାଶି ବଢ଼ିବ ।
  3. ଏହା କେବେ କ୍ୟାବିନେଟ ମଂଜୁରୀ ପାଇଲା କିଏ ଜାଣିଛନ୍ତି କି?
  4. ପୁଣି ମାତ୍ର ୩୦ କିଲୋମିଟର ରେଳପଥ ପାଇଁ ଏତେ ପରିମାଣରେ ଟଙ୍କା ବ୍ୟୟ ହେବ !
  5. ମୁଖ୍ୟମନ୍ତ୍ରୀଙ୍କ ଘରୋଇ ସଚିବ ପାଣ୍ଡିଆନଙ୍କ ନିର୍ଦେଶରେ କାମ ନକରିବାକୁ ଯୁଗଳ ବାବୁ ଓଡ଼ିଶା ଛାଡ଼ି ସାରିଛନ୍ତି । ଏବେ ଦେଖିବାକୁ ରହିଲା, ପତି ବାବୁ ଏଡ଼ଜଷ୍ଟ କରିବେ କି କିଛି ଅନ୍ୟ ବାଟ ଧରିବେ?
  6. ସବୁ ଚଳୁ ହୋଇସାରିଲା ପରେ ଓଡ଼ିଶା ଗଣମାଧ୍ୟମ କେବଳ ପୋଷ୍ଟମର୍ଟମ କରି ହେଡ଼ଲାଇନ୍ ବନେଇବ । ତାହା ପୁଣି ସୂଚନା ଅଧିକାର କର୍ମୀଙ୍କ ପର୍ଦାଫାଶ ପରେ!
  7. କଟକ-ଭୁବନେଶ୍ୱରରେ ସାର୍କୁଲାର ରେଳପଥ କରିବା ପାଇଁ ଆମ୍ଭେ ରାଜ୍ୟର ଟାଉନ ପ୍ଲାନିଂ ଅଥରିଟିଙ୍କୁ ୨୦୦୬ ମସିହାରେ ଏକ ନିବନ୍ଧ ଦେଇଥିଲୁ । ପରବର୍ତୀ ସମୟରେ ଆଇଆଇଟି ଖଡ଼ଗପୁର ତାହାକୁ ଅନୁସରଣ କରିଥିଲେ - ଭୁବନେଶ୍ୱର ଭିଜନ ଡକୁମେଂଟ ନାମରେ । ତାହାକୁ ସମସ୍ତେ ଭୁଲିଗଲେଣି ।
  8. ଭାରତୀୟ ରେଳବାଇ ସହଯୋଗରେ ଓଡ଼ିଶା ସରକାର ନିଜେ ଏକ ରେଳବାଇ କମ୍ପାନୀ ଗଢ଼ି ଏହି କାମକୁ ଆଗକୁ ନେଇ ପାରିବେ । ଏଥିପାଇଁ କୌଣସି ଘରୋଇ କମ୍ପାନୀ ହାତରେ ପ୍ରସ୍ତାବିତ ପ୍ରକଳ୍ପକୁ ଟେକି ଦେବା ଅନାବଶ୍ୟକ । ପ୍ରକାରାନ୍ତରେ ଏହା ଏକ ଚଂଚକତା ।
  9. ନିର୍ଗୁଣ୍ଡି-କଟକ-ବାରଙ୍ଗ-ମେଣ୍ଢାଶାଳ-ଖୋର୍ଧା-ଜଟଣୀ-ଗଡ଼ମୋଟରୀ-ପିପିଲି-ବାଲିପାଟଣା-ହଂସପାଳ-ବାରଙ୍ଗକୁ ରେଳପଥରେ ଯୋଡ଼ିଲେ ଭୁବନେଶ୍ୱରର ଏକ ସାର୍କୁଲାର ରେଳପଥ ହୋଇପାରିବ । ଖୋର୍ଧା-ଜଟଣୀ ମଧ୍ୟରେ ଖୋର୍ଧା-ବଲାଙ୍ଗୀର ରେଳପଥ ଥିବାରୁ ସେହି ବାବଦରେ ଖର୍ଚ କମିଯିବ ।
  10. ଦୁଇ ବର୍ଷ ତଳେ ଆମ୍ଭେ ରେଳପଥରେ କୋଣାର୍କକୁ ଯୋଡ଼ିବା କଥା ଇ-ଗ୍ରୁପରେ ମନେ ପକାଇଥିଲୁ । କୋଣାର୍କ ହେଉଛି ଦେଶର ଏକମାତ୍ର ଗୁରୁତ୍ୱପୂର୍ଣ ପର୍ଯ୍ୟଟନ କ୍ଷେତ୍ର, ଯାହାକି ରେଳପଥ ସହ ସଂଯୁକ୍ତ ନୁହେଁ । ବାରଙ୍ଗ-ଫୁଲନଖରା-କାକଟପୁର-କୋଣାର୍କ-ପୁରୀ ରେଳସଂଯୋଗ ଦ୍ୱାରା ଓଡ଼ିଶାରେ ସହରୀକରଣ ଦ୍ରୁତତର ହେବ ।
  11. ଚର୍ଚିତ ଖବରରେ ପ୍ରକାଶ ପାଇଛି ମାସ୍ ରାପିଡ଼୍ ଟ୍ରାନଜିଟ୍ ସିଷ୍ଟମ(MRTS) ପାଇଁ ସରକାର ସିଦ୍ଧାନ୍ତ ନେଇଛନ୍ତି । କିନ୍ତୁ ଭୁବନେଶ୍ୱର ସହିତ ସକାଳ ଓ ସଂଧ୍ୟା ବ୍ୟତୀତ ଦିନ ବେଳେ ସଟଲ ବା ପାସେଞ୍ଜର ରେଳଗାଡ଼ିର ସୁବିଧା ନାହିଁ । ଅନୁଗୁଳ-ଢେଙ୍କାନାଳ-ଭୁବନେଶ୍ୱର-ଜଟଣୀ-ଖୋର୍ଧା ମଧ୍ୟରେ ୪ଯୋଡ଼ା ସଟଲ ଚାଲିଲେ ମାସ ଟ୍ରାନଜିଟ ସହଜ ହୋଇପାରିବ । ସେହିପରି ବାଲେଶ୍ୱର-ଭଦ୍ରକ-ବ୍ୟାସନଗର-କଟକ-ବାରଙ୍ଗ-ଭୁବନେଶ୍ୱର-ଜଟଣୀ-ଖୋର୍ଧା ଅଥବା ସ୍ଲିପ୍ ରୁଟ୍ ରେ ସାକ୍ଷୀଗୋପାଳ-ପୁରୀ ପର୍ଯ୍ୟନ୍ତ ଚାଲି ପାରିବ ।
  12. ଏଣେ କଟକ-ପୁରୀ ମଧ୍ୟରେ ଡବଲ ରେଳ ଟ୍ରାକ୍ ସରି ପାରୁ ନଥିବା ବେଳେ ବଡ଼ ବଡ଼ ସ୍ବପ୍ନ ଦେଖାଇ ରାଜ୍ୟର ରାଜକୋଷ ଲଣ୍ଡା କରିବାକୁ ଷଡଯନ୍ତ୍ର ଚାଲିଛି ।
ଆମ୍ଭ ପାଖରେ ଆହୁରି ବହୁତ ଠୋସ୍ କଥା ଅଛି ବାଂଟିବାକୁ । ତେବେ ତାହା ଆପଣମାନଙ୍କ ପ୍ରତିକ୍ରିୟା ପାଇବା ପରେ । ଜଟଣୀବାସୀ ବହୁବର୍ଷ ଧରି ଦାବି କରୁଛନ୍ତି ଖୋର୍ଧାରୋଡ଼ ଷ୍ଟେସନର ନାମ ବଦଳାଇ ଜଟଣୀ କରିବାକୁ । ଏଣେ ସ୍ଵୟଂ ଖୋର୍ଧା ସହର ମଧ୍ୟ ରେଳ ମାନଚିତ୍ରରେ ସ୍ଥାନ ପାଇବାକୁ ଯାଉଛି । ତେଣେ କେନ୍ଦୁଝର ସହର, ରେଳ ମାନଚିତ୍ରରେ ସ୍ଥାନ ପାଇ ସାରିଥିଲେ ସୁଦ୍ଧା ଯାଜପୁର-କେନ୍ଦୁଝର ରୋଡ଼ ନାମରେ ଷ୍ଟେସନ ରହିଛି । ଯାହାର ନାମ କଳିଙ୍ଗନଗର ଅଥବା ବ୍ୟାସନଗର ହେବା କଥା ।


(ଏହା ପ୍ରଥମେ ୨୬ ଅଗଷ୍ଟ ୨୦୧୪ରେ ଫେସ୍ ବୁକ୍ ଓ ବିଭିନ୍ନ ଇ-ଗ୍ରୁପ୍ ରେ ପ୍ରକାଶ ପାଇଥିଲା । ସବୁଦିନିଆ ସଂରକ୍ଷଣ ପାଇଁ ଏବେ ବ୍ଲଗ୍ ରେ ପ୍ରକାଶ କଲୁ । ଆପଣଙ୍କର ପ୍ରତିକ୍ରିୟା ସ୍ଵାଗତଯୋଗ୍ୟ)

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA