ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଭାରତବାସୀ (କ)

ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଯେତିକି ବ୍ୟସ୍ତ, ତାହାଠୁ ବେଶି ବ୍ୟସ୍ତ ଏବେର କେନ୍ଦ୍ର ସରକାର । ଏଣେ ପ୍ରତି ବର୍ଷର କେନ୍ଦ୍ର ବଜେଟରେ ଏଥିପାଇଁ କେତେ କ'ଣ ବ୍ୟବସ୍ଥା କରାଯାଉଛି । ଅସଲ କଥା ଦେଶର ସବୁ ଲୋକ କିଭଳି ଦେଶର ଟଙ୍କା ଦେଣନେଣ ସହିତ ସାମିଲ ହେବେ । ଏହି କଥାଗୁଡ଼ିକ ଗ୍ରାମୀଣ ଜନତାଙ୍କ ପାଇଁ କୌଣସି ଅର୍ଥ ପ୍ରକାଶ କରୁନାହିଁ । ଏବେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ (Financial Inclusion) ପ୍ରସଙ୍ଗକୁ ମଫସଲ ପଟୁ ଆରମ୍ଭ କରିବା ।

ମଫସଲରେ ବା ପାହାଡିଆ ଆଦିବାସୀ ଇଲାକାରେ ଏବେ ଅନେକ ସାହୁକାର ଅଛନ୍ତି, ଯେଉଁମାନେ ଟଙ୍କାକୁ କରଜ ଲଗାଇ ଟଙ୍କାଟିଏ ବି ବ୍ୟାଙ୍କ୍ରେ ରଖୁନାହାନ୍ତି । ଅଥଚ ସେହି ସାହୁକାରମାନେ ବ୍ୟାଙ୍କ ଅପେକ୍ଷା ସୁନାରି ସହ ବେଶି ଘନିଷ୍ଠ ହୋଇ ନିଜ ଘରେ ସୁନା ଠୁଳାଉଛନ୍ତି । ତାହା ଦ୍ୱାରା ସେମାନେ ଅଧିକରୁ ଅଧିକ ଧନଶାଳୀ ହେଉଛନ୍ତି ଏବଂ ଜମିଦାର ବନୁଛନ୍ତି । ଜମି କିଣାବିକା ଉପରେ ଯେତେ କଟକଣା କଲେ ବି ସେମାନେ ଆଇନର ଗଳିବାଟର ଭରପୂର ଫାଇଦା ଉଠାଉଛନ୍ତି । କେବଳ ଗୃହଋଣ ଭଳି କିଛି ସରକାରୀ ସୁବିଧାସୁଯୋଗ ହାତେଇବାକୁ ପାଖ ବ୍ୟାଙ୍କରେ କିଛି ଟଙ୍କା ଜମା ରଖୁଛନ୍ତି । ସାହୁକାରମାନଙ୍କ ଉପରେ ନିର୍ଭରଶୀଳ ସ୍ଥାନୀୟ ଗରିବ ବ୍ୟାଙ୍କରେ ଆକାଉଁଟ୍ ଖୋଲିବାକୁ ଭାବୁ ନାହାନ୍ତି । କାରଣ ସେମାନଙ୍କ ପାଖରେ ବଳକା ଧନ ରହିବାର ସବୁ ବାଟ ବନ୍ଦ ହୋଇସାରିଛି । କେବଳ ୨ଟଙ୍କାରେ ଚାଉଳ ପାଇଗଲେ ସେମାନଙ୍କ ଦୁଃଖମୋଚନ ହେବନାହିଁ । ତେବେ ସରକାରଙ୍କ ରିହାତି(ସବ୍.ସିଡ଼ି) ସ୍କିମ୍ ବା ଯୋଜନା ସହାୟତା ପାଇଁ ବାଧ୍ୟ କରି ବ୍ୟାଙ୍କରେ ବା ଡାକଘରେ ଆକାଉଁଟ ଖାତା ଖୋଲାଗଲେ ବି ତାହା ଦିନ କେଇଟାରେ ନଣ୍ଡା ।

ଆଦିବାସୀ ବହୁଳ ଅଂଚଳରେ ଲୋକମାନେ ବାକ୍ସରେ ବା ପେଡ଼ିରେ ଟଙ୍କା ରଖୁଛନ୍ତି । କେହି କେହି ଏବେ ବି ବିଭିନ୍ନ ଜିନଷ ବିକ୍ରି ଧନକୁ ଅଲଗା ଅଲଗା ବାଉଁଶ ନଳୀରେ ରଖୁଛନ୍ତି । ଯେମିତିକି ବାଇଗଣ ବିକା ପଇସା(ଟଙ୍କାର ପ୍ରତିଶବ୍ଦ ରୂପେ) ଗୋଟେ ନଳୀରେ ତ, ମକା ବିକା ପଇସା ଆଉ ଗୋଟେ ନଳୀରେ । ଆଦିବାସୀବହୁଳ ଅଂଚଳରେ ଅଣଆଦିବାସୀ ସାହି ବା ଗାଆଁର ଶିକ୍ଷିତମାନେ ମଟରବାଇକ୍ ରେ ପାଖ ଗାଆଁଗୁଡ଼ିକୁ ଯାଇ ବୀମା ଓ ଚିଟ୍ ଫଣ୍ଡ୍ ନାମରେ ଲୋକଙ୍କୁ ଧୁମ୍ ଶୋଷଣ କରିଛନ୍ତି ଓ କରିଚାଲିଛନ୍ତି । ଏହାଦ୍ୱାରା ଦେଶର ଅର୍ଥନୀତିକୁ କ୍ଷତି ପହଁଚୁଛି । କିନ୍ତୁ "ଆର୍ଥିକ ଅନ୍ତର୍ଭୁକ୍ତୀକରଣ' ହୋଇ ପାରୁ ନାହିଁ ।

ସହରରେ ଶିକ୍ଷିତମାନେ ମଧ୍ୟ ବିଭିନ୍ନ ଠକେଇର ଶିକାର ହେଉଛନ୍ତି । ଆୟକର / ବିକ୍ରିକର ଓ ଯାବତୀୟ ଟିକସ ଫାଙ୍କିବା ପାଇଁ ଭଳିକି ଭଳି ବୁଦ୍ଧି କିଣୁଛନ୍ତି ବିଭିନ୍ନ ଟାକ୍ସ କନସଲଟାଂଟ ବା ଚାଟାର୍ଡ଼ ଆକାଉଁଟାଂଟ୍ ଙ୍କ ଠାରୁ । ଏହା ଫଳରେ ଅର୍ଥନୀତିର ସେଇ ଜଟିଳ ମାପକାଠି "ଜି.ଏନ୍.ପି.' ବାଟବଣା ହେଉଛି । ଆଉ ଦେଶର ଆର୍ଥିକ ଅଭିବୃଦ୍ଧି ଅନ୍ୟ ଦେଶ ତୁଳନାରେ ପଛରେ ପଡ଼ି ଯାଉଛି । ଏଣେ ଯିଏ ଧନୀ ତାଙ୍କର ଧନ ବଢ଼ି ଯାଉଛି, ଯିଏ ଗରିବ ସେ ଗରିବ ହୋଇ ରହି ଯାଉଛି ।

ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.)ଗୁଡ଼ିକ ଦ୍ୱାରା ବାସ୍ତବରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କିଛି ମାତ୍ରାରେ ହୋଇଛି । ହେଲେ ସେଥିରେ ମଧ୍ୟ ନକଲି ଏସ୍.ଏଚ୍.ଜି. ଓ ଦୁର୍ନୀତି ବଢ଼ି ଗଲାଣି । ଅସଲ କଥାଟି ହେଲା - ସବୁ ଲୋକଙ୍କ ପାଖରେ କିଭଳି ନଗଦ ଟଙ୍କା ପହଁଚିବ ଏବଂ ଲୋକେ ତାହାକୁ ସଂଚୟ କରିବା ସହ ବିନ୍ଦାସ ବ୍ୟୟ କରିପାରିବେ ବା ବିନିଯୋଗ କରିପାରିବେ । ହେଲେ ୪୦୦ ଟଙ୍କା ଭତା ପାଉଥିବା ନିରୀହ ଲୋକକୁ ଶୋଷିବାକୁ ସରକାରୀ ବାବୁମାନେ ପଛାଉ ନାହାନ୍ତି । ଆକାଉଁଟକୁ ଡାଇରେକ୍ଟ ଟ୍ରାନ୍ସଫର କଲେ ସୁଦ୍ଧା ବଦମାସ୍ ବାବୁମାନେ ଚକ୍ରାନ୍ତର ଜାଲ ବିଛାଇ ଟଙ୍କା ଟାଣୁଛନ୍ତି । ଏଣୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପାଇଁ ସଚ୍ଚୋଟ ବ୍ୟାଙ୍କ୍ ବାବୁମାନଙ୍କ ଭଳି ସରକାରୀ ବାବୁମାନେ ସଚ୍ଚୋଟ ହେବା ଦରକାର । ଏବଂ ପ୍ରାଶାସନିକ ପ୍ରଶିକ୍ଷଣରେ ଏହି ପାଠ ମଧ୍ୟ ସେମାନଙ୍କୁ ପଢ଼ାଯିବା ଦରକାର ।

ଉପରୋକ୍ତ ଅଂଶତକ ବିଭିନ୍ନ ସାମାଜିକ-ଗଣମାଧ୍ୟମ ଓ ଇ-ଗ୍ରୁପ୍ ରେ ପ୍ରକାଶ ପାଇବା ପରେ ଇତି ମଧ୍ୟରେ ଓଡ଼ିଶା ସରକାର ମଧ୍ୟ ଘୋଷଣା କରି ସାରିଛନ୍ତି ଯେ ରାଜ୍ୟର ପ୍ରତ୍ୟେକ ପରିବାରର ଦୁଇଟି ବ୍ୟାଙ୍କ୍ ଆକାଉଁଟ ଖୋଲାଯିବ । ଏଥିପାଇଁ ବିଭିନ୍ନ ବ୍ୟାଙ୍କ୍ ର ରାଜ୍ୟମୁଖ୍ୟମାନଙ୍କୁ ନେଇ ଏକ କମିଟି ମଧ୍ୟ ଗଢ଼ି ସାରିଛନ୍ତି । ଆଉ ଏହାର ନେତୃତ୍ୱ ନେଉଛନ୍ତି ଜଣେ ବରିଷ୍ଠ ଆଇ.ଏ.ଏସ୍. ଅଧିକାରୀ । ଯାହାକୁ ଅନୁଚାଳନା କରିବେ, ସ୍ବୟଂ ମୁଖ୍ୟ ଶାସନସଚିବ । ରାଜ୍ୟ ପ୍ରଶାସନ ଆହୁରି ମଧ୍ୟ ଧାର୍ଯ୍ୟ କରିଛନ୍ତି ଯେ ତୁରନ୍ତ ବ୍ୟାଙ୍କ ଶାଖା ଖୋଲିବାକୁ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ଗୃହଗୁଡ଼ିକୁ ସୁବିଧାରେ ଛାଡ଼ି ଦିଆଯିବ । କିନ୍ତୁ ରାଜ୍ୟ ପ୍ରଶାସନ ଭୁଲିଗଲେ ଯେ କେନ୍ଦ୍ର ସରକାରଙ୍କ ପଦକ୍ଷେପକୁ ଧ୍ୟାନ ଦେଇ ଡାକ ବିଭାଗ ଦେଶର ସମସ୍ତ ଡାକଘରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବାକୁ ସିଦ୍ଧାନ୍ତ ନେଇସାରିଛି । ଏଥିପାଇଁ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ସମସ୍ତ ବ୍ୟାଙ୍କ୍ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଦେବାକୁ ବାଧ୍ୟ ହୋଇଥିବାରୁ, ଏଥିପାଇଁ ଡାକ ବିଭାଗ ତାହାର କାଗଜଆଧାରିତ ତଥ୍ୟକୁ କମ୍ପ୍ୟୁଟର ତଥା ଇଂଟରନେଟରେ ଭରିବା ପାଇଁ ଇନଫୋସିସକୁ ଦାୟିତ୍ୱ ଦେଇଛି । ତେଣୁ ରାଜ୍ୟ ପ୍ରଶାସନ ଓଡ଼ିଶାର ମୁଖ୍ୟ ମହାଡାକପାଳ (ସି.ପି.ଏମ୍.ଜି.)ଙ୍କୁ ମଧ୍ୟ କମିଟିରେ ସାମିଲ କରିବା କଥା ।

ଓଡ଼ିଶାରେ ଯେଉଁମାନେ ଗରିବ, ସେମାନେ ସବୁ କ୍ଷେତ୍ରରେ ଗରିବ । କେବଳ ଧନରେ ନୁହେଁ, ମନରେ ଗରିବ, ସୂଚନାରେ ଗରିବ, ଶୁଣିବାରେ ଗରିବ, ସାହସରେ ବି ଗରିବ, ସୁରକ୍ଷାରେ ବି ଗରିବ । ଯେଉଁ ଲୋକମାନେ (ପରିବାରମାନେ ବା ପ୍ରଶାସନିକ ଶବ୍ଦରେ ‘ଘରମାନେ’ ଠିକ୍) ନିଜର ରେସନକାର୍ଡ଼ ଓ ଜବକାର୍ଡ଼ ସୁରକ୍ଷିତ ଭାବେ ରଖି ପାରୁନାହାନ୍ତି । ତାହାକୁ ଭଡ଼ାରେ ଲଗାଇ ଦେଉଛନ୍ତି ବା ବିକି ଦେଉଛନ୍ତି, ସେମାନେ କିଭଳି ଭାବେ ବ୍ୟାଙ୍କ୍ ପାସ୍-ବୁକ୍, ଏଟିଏମ୍ କାର୍ଡ଼ ଓ ଚେକ୍-ବୁକ୍ ସୁରକ୍ଷିତ ଭାବେ ଘରେ ରଖିପାରିବେ? ଏହି ଜଟିଳ ପ୍ରଶ୍ନର ସମାଧାନ ପାଇଁ ଏବେଠୁ ରାଜ୍ୟର ସେହି କମିଟି କାର୍ଯ୍ୟସୂଚୀ ପ୍ରସ୍ତୁତ କରୁ । ମୁଣ୍ଡ ଖେଳାଉ ନଥିବା ବ୍ୟକ୍ତିମାନଙ୍କ ସମୂଚୁ ନେଇ କମିଟି ଗଠନରେ କି ଉପକାର ମିଳିବ?

ୟୁ.ପି.ଏ.-୨ ସରକାରର ଡାଇରେକ୍ଟ ବେନିଫିଟ୍ ଟ୍ରାନସଫର ଏକ ପ୍ରଶଂସନୀୟ ଉଦ୍ୟମ । ଯଦିଓ ନିର୍ବାଚନ ପାଖେଇ ଆସିଲା ବେଳକୁ ଏହା ସ୍ଥିର କରି ସଂପୃକ୍ତ ସରକାର ହଡ଼ବଡ଼ ହୋଇଗଲା; ହେଲେ ଏହା ଦୁର୍ନୀତି ରୋକିବାରେ ବିଶେଷ ଗୁରୁତ୍ୱ ବହନ କରେ । ତେଣୁ ଏବର ଏନ୍.ଡି.ଏ.-୨ ସରକାର ତାହାକୁ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ରମରେ ଅଗ୍ରାଧିକାର ଦେବା ଆବଶ୍ୟକ । ଏଠାରେ ପୁଣି ଏହି ଅଧ୍ୟାୟର ମୂଳ ପ୍ରସଙ୍ଗକୁ ଫେରିଲେ ଗୋଟିଏ କଥା ଆମ୍ଭେ ଉଠାଇପାରିବୁ ଯେ ଯେଉଁ ମାନଙ୍କର ମୁଣ୍ଡ ଗୁଂଜିବାକୁ ଘର ନାହିଁ, ସେମାନେ ବ୍ୟାଙ୍କ୍ ଏଟିଏମ୍ କାର୍ଡ଼ ବା ଚେକ୍ ବୁକ୍ କେଉଁଠି ରଖିବେ? ଏଣୁ ପ୍ରଥମେ ଗରିବ ଲୋକଙ୍କୁ ବିପର୍ଯ୍ୟୟ ପ୍ରତିରୋଧୀ ପକ୍କା ଗୃହ ଯୋଗାଇ ଦିଆଯାଉ । ଏବଂ ଆର୍ଥିକ ଅନ୍ତର୍ଭୁକ୍ତୀକରଣର ତାହା ହେଉ ଅନୁକୂଳ କାମ (ଏଂଟ୍ରି ପଏଁଟ୍ କାର୍ଯ୍ୟ) ।

ଆର୍ଥିକ ଅନ୍ତର୍ଭୁକ୍ତୀକରଣ କ୍ଷେତ୍ରରେ ସବୁଠୁ ବଡ଼ କଂଟା ହେଉଛି ରିଅଲଇଷ୍ଟେଟ ବେପାର । ପ୍ରାୟ ଅଧିକ ଗ୍ରାହକ ନଗଦ ଟଙ୍କାରେ କୋଠା କିଣୁଛନ୍ତି ବା ବାସୋପଯୋଗୀ ପ୍ଲଟ୍ କିଣୁଛନ୍ତି। ଫଳରେ ତାହା ରିଜର୍ଭ ବ୍ୟାଙ୍କ୍ ବା ଆୟକର ବିଭାଗର ଟ୍ରାକିଂ ବାହାରେ ରହିଯାଉଛି । ଏଣୁ ସହରୀ ଲୋକମାନେ ସାଧୁ ହେବା ସହ ଇଂଟରନେଟ୍ ବ୍ୟାଙ୍କିଙ୍ଗ୍ ବା ଚେକ୍ ଜରିଆରେ ଦେୟ ଦେବା ପାଇଁ ଇଚ୍ଛୁକ ହେବା ଦରକାର । ଅଧିକ ସଂଖ୍ୟକ ଧନୀ ବ୍ୟକ୍ତି ଏଭଳି ଦେଶକୁ ଠକି ଚାଲିଲେ, ଶେଷରେ ଆମ ଦେଶକୁ ଚୀନ୍ ଶାସନ କରିବାର ପରିସ୍ଥିତି ଦେଖା ଦେବ । ଆମେ ପୁଣି ପରାଧୀନ ହୋଇଯିବା । ବେଳ ଥାଉଁ ପାଗ ଭିଡ଼ିବାକୁ ପଡ଼ିବ । ଏଣୁ ସହରୀ ଶିକ୍ଷିତ ଧନୀମାନେ ପ୍ରଥମେ ସାଧୁ ହେଲେ ହିଁ ଗାଉଁଲି ଓ ପାହାଡ଼ୀ ଗରିବମାନେ ସାହସର ସହ ଜୀବନ ଜୀଇଁବାର ପ୍ରକ୍ରିୟା ଆରମ୍ଭ ହୋଇପାରିବ ।

ଲେଖକଙ୍କ ବିନା ଅନୁମତିରେ ଆପଣ ତାଲିମ, କର୍ମଶାଳା, ବକ୍ତବ୍ୟରେ ଏହି ଲେଖାକୁ ସ୍ଥାନ ଦେଇପାରିବେ ।

(ବିମଳ ପ୍ରସାଦ, ୯୯୩୭୩୫୩୨୯୩) 
Originally written and posted on various social media and e-groups on 1 August 2014 and 13 August 2014 respectively in 2 parts.

ମନ୍ତବ୍ୟଗୁଡିକ

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA