ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଭାରତବାସୀ (ଖ)
ଦେଶରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବ୍ୟାପକ କରିବାକୁ କେନ୍ଦ୍ର ସରକାର ପ୍ରଥମ ପଦକ୍ଷେପ ରୂପେ ପ୍ରତି ପରିବାରକୁ ବ୍ୟାଙ୍କ୍ ଓ ବୀମା ସହ ସାମିଲ କରିବାକୁ ସ୍କିମ୍ ପ୍ରଚଳନ କରିଛନ୍ତି । ବ୍ୟାଙ୍କ୍ ସହ ଯୋଡ଼ିବା ସ୍କିମ୍କୁ କୁହାଯାଉଛି - ପ୍ରଧାନମନ୍ତ୍ରୀ ଜନଧନ ଯୋଜନା । ଏହା ଅଧୀନରେ ଦେଶର ସମସ୍ତ ପରିବାର ବ୍ୟାଙ୍କ୍ ଆକାଉଁଟ ଖୋଲିପାରିବେ ଶୂନ୍ୟ ମୂଳଧନ ଜମାରେ । ସବୁ ଆକାଉଁଟଧାରୀଙ୍କୁ ମିଳିବ ଜମାଖାତା ଓ ରୁପେ ଡେବିଟ୍କାର୍ଡ । ଏହି ସ୍କିମ୍ ସହ ଗୁନ୍ଥି ହୋଇ ରହିଛି ଏକ ଲକ୍ଷ ଟଙ୍କାର ଦୁର୍ଘଟଣାଜଡ଼ିତ ମୃତ୍ୟୁ ପାଇଁ ବୀମା ସହାୟତା ଏବଂ ସ୍କିମ୍ର ନାମ ରହିଛି ଅପ୍ନା ଖାତା ଭାଗ୍ୟ ବିଧାତା । ଏବେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଯେଉଁମାନଙ୍କର ବ୍ୟାଙ୍କ୍ ଆକାଉଁଟ ଅଛି, ସେମାନେ ଆଉ ଗୋଟିଏ ଆକାଉଁଟ ଖୋଲିବା ଅନାବଶ୍ୟକ । କିନ୍ତୁ ଅପ୍ନା ଖାତା ଭାଗ୍ୟ ବିଧାତା ସ୍କିମ୍ର ସୁଯୋଗ ନେବା ପାଇଁ ସମସ୍ତଙ୍କୁ ରୁପେ ଡେବିଟ୍କାର୍ଡ ନିଜ ବ୍ୟାଙ୍କ୍ ଶାଖାରୁ ନେବାକୁ ପଡ଼ିବ । ତେବେ ଯେଉଁ ଆକାଉଁଟଧାରୀମାନଙ୍କର ଅନ୍ୟ ଲୋଗୋ ଥିବା ଡେବିଟ୍କାର୍ଡ ଅଛି, ସେମାନେ ତାହାକୁ ଫେରାଇଦେବେ କି ରଖିବେ, ତାହା ଉପରେ ସ୍ପଷ୍ଟ ଅନୁଦେଶ ଜାରି ହୋଇ ନାହିଁ ।
ଏହି ପ୍ରକ୍ରିୟାରେ ଆଂଚଳିକ ଗ୍ରାମ୍ୟ ବ୍ୟାଙ୍କ୍ଗୁଡ଼ିକୁ ସାମିଲ କରିବା ନେଇ କୌଣସି ତତ୍ପରତା ଏଯାଏଁ ଦେଖିବାକୁ ମିଳି ନାହିଁ । ଅନ୍ୟ ପକ୍ଷରେ ଡାକଘରଗୁଡ଼ିକୁ ବ୍ୟାଙ୍କିଙ୍ଗ୍ କ୍ଷମତା ଦେବା ସଂକ୍ରାନ୍ତରେ ସରକାରୀ ଘୋଷଣାନାମା ପ୍ରକାଶ ପାଇ ନାହିଁ ଏବଂ ଡାକଘର ସମୂହର ଇଂଟରନେଟ୍ ଆଧାରିତ ବ୍ୟାଙ୍କ୍ ସେବା ପାଇଁ ଡାଟାବେସ୍ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ । ତେବେ ଏଠାରେ ଗୋଟିଏ ପ୍ରସ୍ତାବ ରଖିବାକୁ ଚାହୁଁଛୁ ଯେ କେନ୍ଦ୍ର ସରକାରଙ୍କ ଏହି ସ୍କିମ୍କୁ ରାଜ୍ୟସରକାରମାନେ ଭଲ ଭାବେ ବୁଝନ୍ତୁ। ଡାକଘର ଓ ଗ୍ରାମ୍ୟ ବ୍ୟାଙ୍କ୍ଗୁଡ଼ିକ ଜରିଆରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ପ୍ରୋତ୍ସାହିତ କରନ୍ତୁ । ଏହି ଉଦ୍ୟମର ଏକ ଅଂଶ ରୂପେ ଡାକଘର, ଡାକଘର ଶାଖା ଓ ଗ୍ରାମ୍ୟ ବ୍ୟାଙ୍କ୍ ଶାଖାଗୁଡ଼ିକୁ ସ୍ଥାୟୀ ଠିକଣା ପ୍ରଦାନ ପାଇଁ ଉପଯୁକ୍ତ ସ୍ଥାନରେ ରାଜ୍ୟ ସରକାର ଜମି ଯୋଗାଇ ଦିଅନ୍ତୁ ।
ଏଠାରେ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ ଇଏ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ପ୍ରସଙ୍ଗ ଆସିଲା କେଉଁଠୁ? ଏହା ଆସିଲା ବାଙ୍ଗ୍ଲାଦେଶରୁ । ବାଙ୍ଗ୍ଲାଦେଶରେ ସ୍ବୟଂ ସହାୟକ ଦଳଗୁଡ଼ିକର କ୍ଷୁଦ୍ର ସଂଚୟ ଓ କ୍ଷୁଦ୍ର ଋଣ କାର୍ଯ୍ୟକ୍ରମକୁ ଆଧାର କରି ବିପ୍ଳବାତ୍ମକ ପରିବର୍ତନ ହୋଇଥିଲା ପ୍ରଫେସର ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱରେ । ସେ ଗ୍ରାମୀଣ ବ୍ୟାଙ୍କ୍ ଗଠନ କରି ଏହି ଅର୍ଥ କାରବାରକୁ ଏକ ଆନୁଷ୍ଠାନିକ ରୂପ ଦେଲେ । ଏହା ମାଧ୍ୟମରେ ଗରିବ ବାଙ୍ଗ୍ଲାଦେଶରେ ପ୍ରଗତି ତ୍ୱରାନ୍ୱିତ ହେଲା । ଲୋକମାନଙ୍କ ପାଖରେ ଟଙ୍କା ରହିବାରୁ ଖର୍ଚ କରିବାକୁ ସାହସ ପାଇଲେ ଓ ଖର୍ଚ କଲେ । ବିନିଯୋଗ ମଧ୍ୟ କଲେ । ଏହି ଭଳି ଭାବରେ ବାଙ୍ଗ୍ଲାଦେଶରେ ଆର୍ଥିକ ବିକାଶ ତ୍ୱରାନ୍ୱିତ ହେବାରୁ ଏହା ସାରା ବିଶ୍ୱର ଧ୍ୟାନ ଆକର୍ଷଣ କଲା । ଏବଂ ଏହି ବିପ୍ଳବର ନେତା ପ୍ରଫେସର ମହମ୍ମଦ ୟୁନୁସ୍ ଶାନ୍ତି ପାଇଁ ନୋବେଲ ପୁରସ୍କାରରେ ସମ୍ମାନିତ ହେଲେ । ସେ ଅର୍ଥନୀତି ପ୍ରସଙ୍ଗ ଉପରେ କାମ କରୁଥିଲେ ସୁଦ୍ଧା ଶାନ୍ତି ପାଇଁ ପୁରସ୍କୃତ ହେଲେ । କାରଣ ତାଙ୍କ ନେତୃତ୍ୱ ଓ ଉଦ୍ୟମ ବଳରେ ସେହି ଦେଶରେ ଶାନ୍ତି ପ୍ରତିଷ୍ଠା ହୋଇପାରିଲା ।
୨୦୦୪ ମସିହା ପରେ ବାଙ୍ଗ୍ଲାଦେଶୀମାନେ ପେଟପାଟଣା ପାଇଁ ଭାରତକୁ ପଳେଇ ଆସିବାର ଧାରାରେ ଆପାତତଃ ପୂର୍ଣଛେଦ ପଡ଼ିଛି । ଏସବୁକୁ ଲକ୍ଷ୍ୟ କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍ ଓ ଭାରତର ଯୋଜନା ଆୟୋଗ ତଥା ଦରମାଖିଆ ଅର୍ଥନୀତିଜ୍ଞମାନେ ତତ୍ପର ହୋଇ ପଡ଼ିଲେ । ଭାରତର ଲୋକମାନେ ବିନ୍ଦାସ୍ ଖର୍ଚ କରିବାକୁ ଖୋଲାଗଲା ହଜାର ହଜାର ଏ.ଟି.ଏମ୍. କାଉଁଟର । କିନ୍ତୁ ଏହାର ଗତିପଥ ଥିଲା ଭିନ୍ନ । ଆର୍ଥିକ ଅନ୍ତର୍ଭୁକ୍ତୀକରଣକୁ ବଢ଼ାଇବାରେ ଏଭଳି ସିଦ୍ଧାନ୍ତର କୌଣସି ଭୂମିକା ପରିଲକ୍ଷିତ ହେଲା ନାହିଁ । ଭାରତରେ ସ୍ବୟଂସହାୟକ ଦଳ ଜରିଆରେ ଆର୍ଥନୀତିକ ଓ ଆର୍ଥିକ କାରବାର ଥିଲା ଏବଂ ସବୁ ଦଳଗୁଡ଼ିକର ବ୍ୟାଙ୍କ୍ ଆକାଉଁଟ ଥିବା ସହ ଔପଚାରିକ ଭାବେ ବ୍ୟାଙ୍କ୍ ସହ ସଂଯୁକ୍ତ ହୋଇଥିଲେ ମଧ୍ୟ ସାରା ଦେଶବାସୀଙ୍କୁ ତାହା ପ୍ରଭାବିତ ବା ଲାଭାନ୍ୱିତ କଲା ନାହିଁ । ଏହି ପଡେ଼ାଶୀ ଓ ସାନ ରାଷ୍ଟ୍ର ବାଙ୍ଗ୍ଲାଦେଶର ଅନୁକରଣ ଘୋଷଣାକୁ ଭାରତ ପସନ୍ଦ କଲା ନାହିଁ । ତେଣୁ ନୂଆ ସୂତ୍ର, ନୂଆ ପରିକଳ୍ପନା ଓ ନୂଆ ସ୍କିମ୍ ନାମରେ ଚାଲିଛି ଆର୍ଥିକ ଅନ୍ତର୍ଭୁକ୍ତୀକରଣ । ଆମ ଦେଶର ପ୍ରତ୍ୟେକ ଘର (ପରିବାର)କୁ ସରକାରମାନେ ଯାହା ଯାହା ଆର୍ଥିକ ସୁବିଧା ଯୋଗାଇବେ, ସେଗୁଡ଼ିକ ଆଉ ନଗଦ ଟଙ୍କା, ଚେକ୍ ବା ଡ୍ରାଫ୍ଟ ଇତ୍ୟାଦି ଜରିଆରେ ନହୋଇ ପ୍ରତ୍ୟକ୍ଷ ହସ୍ତାନ୍ତର କ୍ରମରେ ବ୍ୟାଙ୍କ୍ ଆକାଉଁଟ୍କୁ ଆସିବ । ଫଳରେ ଅଧିକରୁ ଅଧିକ ସୁଫଳ ସିଧାସଳଖ ଗରିବ ହିତାଧିକାରୀଙ୍କ ପାଖରେ ବିନା ବାଟମାରଣାରେ ପହଁଚିପାରିବ । ଏହା ବିଶ୍ୱାସ କରୁଛନ୍ତି ନୀତିପ୍ରଣେତା କର୍ତୃପକ୍ଷମାନେ । ଏଥିପାଇଁ ଗଣମାଧ୍ୟମ, ସଭ୍ୟନାଗରିକ ସଂଗଠନ, ବ୍ୟାଙ୍କିଙ୍ଗ୍ ସଂଗଠନ, ଓ ପ୍ରାଶାସନିକ ବିଭାଗଗୁଡ଼ିକର ନିଷ୍ଠାପର କାର୍ଯ୍ୟ ସଂପାଦନ ଲୋଡ଼ା ।
ଘରୋଇ ବ୍ୟାଙ୍କ୍ମାନେ ଯଦି ଗ୍ରାମାଂଚଳରେ ବ୍ୟାଙ୍କିଙ୍ଗ୍ ସେବା ନାମରେ ଏହି ସରକାର ପ୍ରାୟୋଜିତ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ସାମିଲ ହେବେ, ତେବେ ବିପଦ ଘନେଇ ଆସିବ । ଆଜିକାଲି ରାଷ୍ଟ୍ରାୟତ ବ୍ୟାଙ୍କ୍ ଶାଖାର ଅଧିକାରୀ, କର୍ମଚାରୀମାନେ ଚୋରିରେ ସାମିଲ ହେଉଥିବାର ପ୍ରମାଣ ମିଳିଲାଣି । ତଥାପି ରାଷ୍ଟ୍ରାୟତ ବ୍ୟାଙ୍କ୍ ଓ ଡାକଘର ସମୂହକୁ ଏହି ମହାନ୍ କାର୍ଯ୍ୟ ପାଇଁ ସବୁମନ୍ତେ ପ୍ରସ୍ତୁତ କରାଯାଉ । ପାର୍ବତ୍ୟ ଓ ଦୁର୍ଗମ ଅଂଚଳଗୁଡ଼ିକୁ ସ୍ବତନ୍ତ୍ର ଧ୍ୟାନ ଦେଲେ ହିଁ ଦେଶରେ ଇପ୍ସିତ ପରିବର୍ତନ ସମ୍ଭବ ହୋଇପାରିବ ।
ଚିଟ୍ ଫଣ୍ଡ୍ ଠକେଇ ଉପରେ କେବଳ ବଡ଼ ବଡ଼ ସହରରେ ହଇଚଇ ହେଉଥିଲେ ବି ଭଳିକି ଭଳି ନାମରେ ଓଡ଼ିଶାର ତଥା ଦେଶର ବିଭିନ୍ନ ଗ୍ରାମାଂଚଳରେ, ପାହାଡ଼ିଆ ଅଂଚଳରେ ଏବେ ଜାରି ରହିଛି ଠକେଇ । ବିଭିନ୍ନ ବର୍ଗର ଅଧିକାରୀ ଓ ଗୁଣ୍ଡାମାନେ ବଟି ନେଇ ଠକମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି । ତେଣୁ ଗରିବଙ୍କୁ ସଶକ୍ତ କରିବାର ସବୁକିଛି ଉଦ୍ୟମ ଫେଲ୍ ମାରୁଛି । ସେହି ଗରିବ ଲୋକମାନେ ଟିଭିରେ ଖବର ଦେଖୁ ନାହାନ୍ତି କି ରେଡ଼ିଓରୁ ଖବର ଶୁଣୁ ନାହାନ୍ତି । ଖବରକାଗଜ ପଢ଼ିବାର ପ୍ରଶ୍ନ ଉଠୁନାହିଁ ସେମାନଙ୍କ ଜୀବନରେ ! ତେଣୁ ସୂଚନା ଓ ସମ୍ବାଦ ହାସଲର ଯେଉଁ ବ୍ୟାପକ ଫାଙ୍କ ସୃଷ୍ଟି ହେଉଛି, ତାହାର ପରିଚାଳନା ପାଇଁ ସାମାଜିକ ଜୀବନ ଶୈଳୀରେ ପରିବର୍ତନ ଆଣିବା ଆଉ ଏକ ଆହ୍ୱାନ ହୋଇ ରହିଯାଇଛି ।
ପୁଣି ଆହୁରି କଥା ଆର ଥରକୁ...
ମନ୍ତବ୍ୟଗୁଡିକ