କେମିତି ହେଲା ବନ୍ୟା...
ସମ୍ବଲପୁର ସହରରେ ବଦଳପାଣି (ଫ୍ଲାସ୍ ଫ୍ଲଡ଼୍)ର ବିପର୍ଯ୍ୟୟ ଖବର ଶୁଣି ହୀରାକୁଦ ବନ୍ଧ
କର୍ତୃପକ୍ଷ ସବୁଯାକ କବାଟ ତିନି ଦିନ ବନ୍ଦ କରିଦେଲେ। ତା'ପରେ ଏକାବେଳକେ ଖୋଲିଲେ ୫୦ ।
ଏଣେ ତଳ ମୁଣ୍ଡରେ ଗୋଟେ ନୂଆ ଷ୍ଟାଇଲରେ ବନ୍ୟା ହେଲା । ସବୁଠୁ ଚର୍ଚାର କଥା ହେଉଛି-
ଦଳେଇଘାଇ । ଏଥର କଟକ ସହରରେ ବି ବନ୍ୟାପାଣି ଛାରଖାର କଲା । କିନ୍ତୁ ଦଳେଇଘାଇ
ତଳମୁଣ୍ଡରେ ଥିବା ଗ୍ରାମର ସୁସ୍ଥସବଳ ପ୍ରତିନିଧିମାନେ ଖଣ୍ଡା ତରୁଆଲ ଧରି ଜଗି ରହିଲେ ।
ଯଦି ବଙ୍ଗଉପସାଗର ପାଣି ନଟାଣିବ, ତେବେ ଦଳେଇଘାଇ ଭାଙ୍ଗିଦେଲେ ପାଣି ଭୁସ୍ ଭାସ୍
ଖଲାସ୍ । ଆଉ ଶାନ୍ତିରେ ନିଶ୍ୱାସ ମାରିବେ କଟକନଗର ବସ୍ତିବାସୀ । କିନ୍ତୁ ଅଳ୍ପ ଟିକେ
ମୁଣ୍ଡ ଖଟେଇ ହୀରାକୁଦ ବନ୍ଧବାଲା ଖୋଲା କବାଟ ସଂଖ୍ୟା କମେଇ ଚାଲିଛନ୍ତି । ହେଲେ
ସେମାନେ ଆଉ ଦୁର୍ବୁଦ୍ଧି କରି ସବୁଯାକ କବାଟ ବନ୍ଦ ନକରନ୍ତୁ, ଅନ୍ତତଃ ଅଗଷ୍ଟ ମାସ ଶେଷ
ସୁଦ୍ଧା । ପ୍ରଶାସନ ମନେ ରଖନ୍ତୁ ଯେ ଜଳବାୟୁ ପରିବର୍ତନ ହୋଇ ବର୍ଷା ଋତୁ ଏବେ ନଭେମ୍ବର
ପ୍ରଥମ ସପ୍ତାହ ପର୍ଯନ୍ତ ଲମ୍ବିଗଲାଣି । ଅବଶ୍ୟ ଛତିଶଗଡ଼ରେ ସେତେ ଦିନ ଯାଏ ବର୍ଷା
ହେଉଛି କି ନାହିଁ, ତାହା ଲକ୍ଷ୍ୟ କରିବା କଥା ।
ଏଠାରେ ଗୋଟିଏ କଥା କେହି କେହି ଚିନ୍ତା କରୁଥିବେ ଯେ ହୀରାକୁଦ ବହୁମୁଖୀ ନଦୀ ବନ୍ଧ
ପ୍ରକଳ୍ପ କେତେ ଉପକାର କରୁଛି ଯେ ତାହାପାଇଁ ଏତେ ହଜାର ହଜାର କୋଟି ଟଙ୍କାର ଧନ କେବଳ
ବନ୍ୟାରେ ଉଜୁଡ଼ି ଯାଉଛି?! ଏବଂ ତାହାକୁ ଭରଣା ନାମରେ ପୁଣି ସେହି ଭଳି କେନ୍ଦ୍ରୀୟ
ଅନୁଦାନ ଟଣା ହେଉଛି । କି ଚାଷକ୍ଷେତକୁ ଜଳସେଚନ କରୁଛି ଅବା କେତେ ବିଜୁଳି ଉତ୍ପାଦନ କରୁଛି
ଏ ବନ୍ଧ? ମତେ ଲାଗୁଛି ତଳମୁଣ୍ଡ ଅଞ୍ଚଳର ଚାଷୀଙ୍କ ଲୁହନିଃଶ୍ୱାସ ପଡୁଛି ଜଳସେଚିତ ବରଗଡ଼,
ସୁବର୍ଣପୁର, ସମ୍ବଲପୁର ଜିଲ୍ଲାର ଶହଶହ ଚାଷୀଙ୍କ ଉପରେ । କାରଣ ସେମାନେ ଚାଷଜମି ବିକି
ଦରିଦ୍ର ପାଲଟିଲେଣି । ଏହାର ବଡ଼ ଉଦାହରଣ ହେଉଛି - ଏନ୍.ଏଚ୍.-୬ ଗୋଡ଼ଭଗା ଛକ ପାଖରେ
ଥିବା ନୂଆ ଗୌଡ଼ଟିକ୍ରା ଗାଆଁ । ଯାହାର ଅନ୍ୟ ନାମ ସହରାଟିକ୍ରା (ସଅର, ସଉରା ଶବ୍ଦରୁ
ସହରା ହୋଇଛି । ଏହା ଏକ ଜନଜାତି । ଯେଉଁମାନେ କି ମୂଳବାସିନ୍ଦା ସେହି ଗାଆଁର ।) ଯେଉଁ
ଗାଆଁ ହେଉଛି ୨୦୦ଟି ସମୃଦ୍ଧ ତେଲୁଗୁ ଚାଷୀ ପରିବାରଙ୍କ ଗାଆଁ । ସ୍ଥାନୀୟ
ଚାଷୀମାନଙ୍କଠୁ ଜମି କିଣି କିଣି ଏହି ଗାଆଁର ଲୋକମାନେ ଓଡ଼ିଶାର କୌଣସି ସହରୀ ସଂପନ୍ନ
ପରିବାରଠୁ ମଧ୍ୟ ସୁଖରେ ଚଳୁଛନ୍ତି । କିନ୍ତୁ ମୂଳବାସିନ୍ଦା ସହରା ପରିବାରମାନେ
ଯେମିତିକୁ ସେମିତି । ଅସଲ କଥା ହେଲା, ଓଡ଼ିଶାର ସ୍ଥାନୀୟ ଚାଷୀମାନେ ଯଦି ଜମି
ବିକିଚାଲିବେ, ଆମେ କେଉଁ ହୀରାକୁଦ ପାଇଁ ଏତେ କୁତୁକୁତୁ? ଆଉ ପୋଲାଭରମ୍ ପ୍ରକଳ୍ପକୁ
ବିରୋଧ କରିବାକୁ କାହିଁକି ଟଙ୍ଗଟଙ୍ଗ? କ'ଣ ଡାରୱିନ୍ଙ୍କ "ଯୋଗ୍ୟତମର ଉଦ୍ବର୍ତନ'
ମତବାଦକୁ ଦ୍ୱାହି ଦେଇ ତୁନି ବସିବା, କି ଆତ୍ମସମୀକ୍ଷା କରିବା?
ମାୟା ଓ ମାଳିକା - ଏହି ଶବ୍ଦ ଦୁଇଟି ଉପରେ ମୌଳିକ ଗବେଷଣା ହେଉ । ବିଦେଶୀ
ଜ୍ଞାନକୌଶଳ ପଛରେ ମାତି ପାରମ୍ପରିକ ଓ ପ୍ରାଚୀନ ତତ୍ୱକୁ ଅଣଦେଖା କଲେ ହେବ ନାହିଁ ।
ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩
ମନ୍ତବ୍ୟଗୁଡିକ