କିଏ ହେବେ ମୁଖ୍ୟମନ୍ତ୍ରୀ
ଓଡ଼ିଶାର ଲୋକପ୍ରିୟ ବିଜୁ ଜନତା ଦଳ ସରକାରକୁ ଟକ୍କର ଦେବା ପାଇଁ କେବଳ ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ପାଖରେ ତାକତ ଅଛି । ଏହାକୁ ଆଜିକାଲି ଆଉ କେହି ଅସ୍ୱୀକାର କରୁ ନାହାନ୍ତି । କାରଣ ଓଡ଼ିଶାରେ ଧର୍ମ ଓ ଜାତିକୁ ନେଇ ରାଜନୀତି ଚାଲେ ନାହିଁ, ତେଣୁ ଜାତିଆଣ ଦଳଗୁଡ଼ିକ କ୍ଷମତା ଦୌଡ଼ରୁ ଦୂରେଇ ଗଲେଣି । ଗତ ୟୁପିଏ-୨ ସରକାର ବେଳେ ବିଜୁ ଜନତା ଦଳ(ବିଜଦ) ଯେମିତି କେନ୍ଦ୍ରରେ କଂଗ୍ରେସକୁ ଭୂତେଇ ଥିଲା । ଏବେ ସେହି ସମାନ ଢଙ୍ଗରେ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଭୂତେଇବା ଆରମ୍ଭ କରିଛି । ଏହାର ପ୍ରମାଣ ହେଉଛି ଚଳିତ ଜାନୁଆରି ୨୦୧୫ରେ ଭାଜପାର ମହାସଂଗ୍ରାମ ସମାବେଶରେ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଙ୍କ ଭାଷଣ । ଗତ ୨୦୧୪ରେ ବରମୁଣ୍ଡା ପଡ଼ିଆରେ ନରେନ୍ଦ୍ର ମୋଦି , ଓଡ଼ିଆ ଦାଦନ କଥା ଉଠାନ୍ତେ ଓଡ଼ିଶାର ଗଣମାଧ୍ୟମ ସ୍ୱାଭିମାନର ଦ୍ୱାହି ଦେଇ ତାହାକୁ ନିନ୍ଦା କରିଥିଲା । ଏଥର ଅମିତ୍ ଶାହା ବିଜଦ ବା ନବୀନ ବାବୁଙ୍କ ବିଷୟରେ ପ୍ରାୟତଃ କିଛି ହେଲେ ନକହିବାରୁ ତାହାକୁ ମଧ୍ୟ ଓଡ଼ିଶା ଗଣମାଧ୍ୟମ ନାପସନ୍ଦ କଲା । ଯଦି ଓଡ଼ିଶାରେ ବର୍ଧିଷ୍ଣୁ ଲୋକପ୍ରିୟତା ଆଧାରରେ ଭାଜପା କ୍ଷମତା ଦଖଲର ସ୍ୱପ୍ନ ଦେଖୁଥାଏ, ତେବେ ଏ କ୍ଷେତ୍ରରେ ନରେନ୍ଦ୍ର ମୋଦି ହିଁ ସ୍ୱପ୍ନର ସୌଦାଗର । ଆଉ ମାଧ୍ୟମ ହେଉଛନ୍ତି ସାଂସଦ ଧର୍ମେନ୍ଦ୍ର ପ୍ରଧାନ । ଏଇ ବର୍ଷ ଜାରି କରିଛନ୍ତି ଗରିବମାନଙ୍କୁ ମାଗଣାରେ ଏଲ୍.ପି.ଜି. ଗ୍ରାହ...