ଆସୁ ହୁଡ୍-ହୁଡ୍ - ଡର କାହାକୁ

ବତାସ ହୁଡହୁଡ୍ - ପ୍ରଭାବ ଓ ପ୍ରତିକାର
୨୦୧୪ ଅକ୍ଟୋବର ୧୧ ତାରିଖରୁ ୧୪ ତାରିଖ (ଶନିବାରରୁ ମଙ୍ଗଳବାର) ପର୍ଯ୍ୟନ୍ତ ତଟବର୍ତୀ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ସମ୍ଭାବ୍ୟ ବତାସ ହୁଡହୁଡ୍ ପରିପ୍ରେକ୍ଷୀରେ ଓଡ଼ିଶାର ସ୍ଥିତି ଉପରେ ଆମ୍ଭେ ଏଠାରେ ନିଜ ଅନୁଭବ ବଖାଣୁଛୁ:-
  1. ତଟକା ତଥ୍ୟ ଅନୁସାରେ ୯୦ କିଲୋମିଟର ବେଗରେ ଉପକୂଳ ଓଡ଼ିଶାରେ ପବନ ବହିବ ଏବଂ ପ୍ରବଳ ବର୍ଷା ଲାଗି ରହିବ । ଫଳରେ ସବୁଠୁ ଆଗେ ପ୍ରଭାବିତ ହେବ ବିଦ୍ୟୁତ୍ ସରବରାହ ।
  2. ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେବାରୁ ସହରାଂଚଳରେ ଗୁରୁତର ସମସ୍ୟା ଉପୁଜିବ । ଅନ୍ଧାର ହେବା ସହ ଓଭରହେଡ଼୍ ପାଣିଟାଙ୍କି ଉପରେ ନିର୍ଭରଶୀଳ ମଣିଷମାନେ କଷ୍ଟ ଭୋଗିବେ । ଯାହାର କୌଣସି ତୁରନ୍ତ ବିକଳ୍ପ ନାହିଁ । ତେବେ ଅନ୍ଧାର ସମସ୍ୟା ଦୂର କରିବାକୁ ଲୋକମାନେ କିଛି ମାତ୍ରାରେ ରିଚାର୍ଜେବଲ ଲାଇଟ୍, ଏଲଇଡି ଟର୍ଚ ଓ ମହମବତୀ ଉପରେ ନିର୍ଭର କରିବେ ।
  3. ଗ୍ରାମାଂଚଳରେ ଯଥେଷ୍ଟ କିରୋସିନି ମହଜୁଦ ଥିଲେ ହିଁ ଗ୍ରାମବାସୀମାନେ ଅନ୍ଧାର ସମସ୍ୟାରୁ ବର୍ତିଯିବେ ।
  4. ବିଜୁଳି କଟିଯିବାରୁ ଗ୍ରାମାଂଚଳରେ ମୋବାଇଲ୍ ଟେଲିକମ୍ ଟାୱାରଗୁଡ଼ିକ ଅଚଳ ହୋଇଯିବ । ମୁଖ୍ୟତଃ ବି.ଏସ୍.ଏନ୍.ଏଲ୍. ସେବା ଠପ୍ ହୋଇଯିବ । ଘରୋଇ ଟେଲିକମ୍ କମ୍ପାନୀର ଗାଆଁ ଟାୱାରଗୁଡ଼ିକରେ ବ୍ୟାକ୍ଅପ୍ ବ୍ୟାଟେରି ସହିତ କେତେକ ଜେନେରେଟର ସଚଳ ଥିବାରୁ, ହୁଏତ ଟେଲିକମ୍ ସେବା ଜାରି ରହିପାରେ । ଟାୱାର ଜଗିବା ଓ ରକ୍ଷଣାବେକ୍ଷଣ କାମ ସଂପୃକ୍ତ ଜମିମାଲିକମାନେ ରଖିଥିବା ସ୍ଥଳେ, ଜେନେରେଟର ପାଇଁ ଉଦ୍ଦିଷ୍ଟ ପେଟ୍ରୋଲ/ଡିଜେଲକୁ ସେମାନେ ବିକି ଦେଉଥିବାରୁ ନିରନ୍ତର ଟେଲିକମ୍ ସେବା ସମ୍ଭବ ହେଉ ନାହିଁ ।
  5. ବିଜୁଳି ସଂକଟରୁ ରକ୍ଷା ପାଇବା ପାଇଁ ଲୋକମାନେ ପାୱାରବ୍ୟାଙ୍କ୍, ଇନଭର୍ଟର, ଜେନେରେଟର ଉପରେ ନିର୍ଭରଶୀଳ ହେବେ । ମଧ୍ୟମ ବର୍ଗର ଲୋକମାନେ ପୋର୍ଟେବଲ ଜେନ୍ ସେଟ୍ ଓ ପାୱାରବ୍ୟାଙ୍କ୍ କିଣି ପକାଇବେ ।
  6. ଲଗାଣ ବର୍ଷା ସାଙ୍ଗକୁ ପବନ ବହିବାରୁ ମାଟିକାନ୍ଥଗୁଡ଼ିକ ଭାଙ୍ଗିପଡ଼ିବାର ଆଶଙ୍କା ରହିଛି । ଉପକୂଳ ଓଡ଼ିଶାରେ ମାଟିକାନ୍ଥ ଥିବା ଘର ଆଦୌ ନରଖିବା ପାଇଁ ମହାବାତ୍ୟା ପରେ ଏବଂ ଫାଇଲିନ୍ ପରେ ଆମ୍ଭେ ପରାମର୍ଶ ଦେଇଥିଲୁ । କିନ୍ତୁ ପ୍ରଶାସନ ତଥାପି ଚେତି ନାହାନ୍ତି ।
  7. କେଉଁ କେଉଁ ପରିବାରଗୁଡ଼ିକ ମାଟିକାନ୍ଥ ଘର ଉପରେ ଗୋଟାପଣେ ନିର୍ଭରଶୀଳ, ସେଭଳି କିଛି ଡାଟାବେସ୍ ପ୍ରଶାସନ ପାଖରେ ନାହିଁ । ତେଣୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର ପାଇଁ ଶାସନକଳ ହଡ଼ବଡ଼ ହେବ ।
  8. ଟେଲି ଯୋଗାଯୋଗ ବିଚ୍ଛିନ୍ନ ହେବାରୁ ସାଟେଲାଇଟ୍ ଫୋନ୍ ହିଁ ସାହାଭରସା ପାଲଟିଯିବ । ସେତେବେଳେ ସଠିକ୍ ରିପୋଟ ଓ ସୂଚନା ଦେଣନେଣ ଜରୁରୀ ହୋଇ ପଡ଼ିବ ।
  9. ବିଜୁଳି ବିଭ୍ରାଟ କାରଣରୁ ଟେଲିଭିଜନ ଦେଖିବା ସମ୍ଭବ ହେବ ନାହିଁ । ତେବେ ଟାଟାସ୍କାଏ, ଏଆରଟେଲ୍, ଡିସ୍ ଟିଭି ଓ ଭିଡ଼ିଓକନ୍ ଡିଟିଏଚ୍ ସେବା ଅଧୀନରେ ସ୍ମାର୍ଟଫୋନ୍ ବ୍ୟବହାରକାରୀ ମୋବାଇଲ୍-ଟିଭି ଗ୍ରାହକମାନେ ଇଟିଭି(ଓଡ଼ିଆ) ଓ ଓଟିଭି ଉପରେ ନିର୍ଭରଶୀଳ ହେବେ । MBC ଟିଭି ମୋବାଇଲ୍ ଆପ୍ ମଧ୍ୟ ଅନେକ ଉପଭୋକ୍ତାଙ୍କୁ ସହାୟକ ହେବ । ଅନ୍ୟଥା ହିନ୍ଦୀ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରୁ ଲୋକମାନେ ସୂଚନା ପାଇପାରିବେ ।
  10. ତଳିଆ ଅଂଚଳରେ, ବିଶେଷତଃ ସହରର ଖାଲୁଆ ଅଂଚଳର ବାସିନ୍ଦାମାନେ ନିଜନିଜ ମୋଟରଗାଡ଼ିଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ଉଚ୍ଚ ସ୍ଥାନରେ ଥିବା ନିଜନିଜ ପ୍ରିୟପରିଜନଙ୍କ ଘର ଉପରେ ନିର୍ଭରଶୀଳ ହେବେ । ଅନ୍ୟଥା ପୂରା ଇଂଜିନ୍ ଖୋଲି ପାଣି ସଫା କରିବା ଇତ୍ୟାଦି ପାଇଁ କେତେ ଶହରୁ କେତେ ହଜାର ପର୍ଯନ୍ତ ଟଙ୍କା ଖର୍ଚ କରିବାକୁ ପଡ଼ିବ ।
  11. ବଜାରରେ ଆଳୁ, ପରିବା ସମେତ ଚୁଡ଼ା, ଗୁଡ଼, ମହମବତୀ, ଅଣ୍ଡା ଦର ବଢ଼ିଯିବ । ଏହା ଉପରେ ପ୍ରଶାସନ କିଛି ପଦକ୍ଷେପ ନେବା ଦରକାର ।
  12. ଯୋଗାଯୋଗ କ୍ଷେତ୍ରରେ ସବୁଠୁ ବଡ଼  ସମସ୍ୟା ହେବ, ରାସ୍ତା ଉପରେ ଉପଡ଼ି ପଡ଼ିଥିବା ବା ଶୋଇ ଯାଇଥିବା ଗଛ । କେବଳ ଦିନବେଳେ ଓ ଶୁଖିଲା ପାଗରେ ଗଛ କାଟିବାକୁ ହିଁ ଖାକିବାଲା ସରକାରୀ କର୍ମୀମାନେ ମନ ବଳାଇବେ । ଫଳରେ ଘଂଟା ଘଂଟା ଧରି ରାସ୍ତା ଅବରୋଧ ରହିବ । କେବଳ ୨ ଜଣ ଲେଖାଏଁ ଓଡ଼୍ରାଫ୍ କର୍ମୀ ସେହି ଗଛ କାଟିବା ପାଇଁ ଯନ୍ତ୍ର ଧରିବା ସହ ସ୍ଥାନୀୟ ଗ୍ରାମବାସୀମାନଙ୍କ ସହଭାଗିତାରେ ସେଗୁଡ଼ିକୁ ରାସ୍ତାରୁ ହଟାଇବାର ବ୍ୟବସ୍ଥା ହେବା ଦରକାର ।
  13. ଓଜନିଆ ଓ ମୋଟା ଗଛ ବ୍ୟତୀତ ଅନ୍ୟ କଠିନ ଆବର୍ଜନା ସବୁ ରାସ୍ତାରୁ ହଟାଇଲେ ହିଁ ରାସ୍ତାଗୁଡ଼ିକ ଯାତାୟତ ଉପଯୋଗୀ ହୋଇପାରିବ । ବ୍ୟବହାର ଉପଯୋଗୀ କରାଯାଉଥିବା ରାସ୍ତାଗୁଡ଼ିକ ସଂକ୍ରାନ୍ତ ସୂଚନା ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ହେବା ଦରକାର ।
  14. ଫାଇଲିନ୍ ବିପର୍ଯ୍ୟୟର ବର୍ଷେ ପରେ ମଧ୍ୟ ଗଂଜାମ ଜିଲ୍ଲାରେ କ୍ଷତିଭରଣା କାର୍ଯ୍ୟ ଓ ପ୍ରତିକାର ବ୍ୟବସ୍ଥା କରା ନଯିବା ବା ନଯାଇପାରିବା, ଘୋର ଲଜ୍ଜାଜନକ । ଅନ୍ତତଃ ବତାସ ହୁଡହୁଡ୍ ପରେ କ୍ଷତିପୂରଣ କାର୍ଯ୍ୟକଳାପ ତ୍ୱରାନ୍ୱିତ ଓ ସମୟବଦ୍ଧ ହେବା ଜରୁରୀ ।

ଯଥାସମ୍ଭବ ଏହି ବ୍ଲଗ୍ କୁ ସେୟାର କରନ୍ତୁ । ଏହାର ପାଠ୍ୟଗୁଡ଼ିକ ଆମ୍ଭ ବିନା ଅନୁମତିରେ ଜନସ୍ୱାର୍ଥ ପାଇଁ ପ୍ରୟୋଗ ପ୍ରାର୍ଥନୀୟ ।

ମନ୍ତବ୍ୟଗୁଡିକ

Unknown said…
SPECIAL ATTENTION NEEDS TO BE GIVEN TO SENIOR CITIZENS,PHYSICALLY AND MENTALLY CHALLENGED PERSONS.YOUNG PERSONS SHOULD FORM TEAMS AND HELP ALL.

Popular posts from this blog

ବ୍ରହ୍ମପୁରରେ ହେବ ଆଇଜର

ODIA TYPING EASY in WINDOWS7

TOP 20 WEBSITES of ODISHA